ଖାକିରେ ଲାଗିଲା ଦାଗ: ମାଓ ମୁକାବିଲା ସହାୟତା ଓ ମହଙ୍ଗା ଭତ୍ତା ନାଁରେ ୩.୪୫ ଲକ୍ଷ ହଡ଼ପ, ୩ ଯବାନ ଗିରଫ 

ରାୟଗଡ଼ା: ସରକାରୀ ଟଙ୍କାରେ କରୁଥିଲେ ମଉଜ ମଜିଲିସ୍। ଘର ପାଇଁ କିଣା ହେଉଥିଲା ସଉଖିନ୍ ସାମଗ୍ରୀ। ୧୪୦୦ ଟଙ୍କା ବଦଳରେ କେଉଁ ମାସରେ ୫୦ ତ କେଉଁ ମାସରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଉ ନେଉଥିଲେ ସରକାରୀ ଅନୁଦାନରୁ। ଯାହାର ସାମାନ୍ୟ ସୁରାକ୍ ପାଉନଥିଲେ କମାଣ୍ଡାଣ୍ଟ୍। ୫ ମାସ ଧରି ଚାଲିଥିବା ଏପରି କାରନାମାର ଆଜି ପର୍ଦାଫାସ କରିଛି ଗୁଣପୁର ପୁଲିସ୍। ମାଓ ମୁକାବିଲା ସହାୟତା ରାଶି ଓ ମହଙ୍ଗା ଭତ୍ତା ହଡ଼ପ ଅଭିଯୋଗରେ ଭାମିନିସ୍ଥିତ ଦ୍ବିତୀୟ ଆଇଆରବିଏନ୍ ବାଟାଲିୟନର ୩ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍।

ଦ୍ବିତୀୟ ଆଇଆରବିଏନ୍ ବାଟାଲିୟନର୍ ସିପାହୀ ନଂ ୪୦୯ ପଙ୍କଜ କୁମୁରା, ସିପାହୀ ନଂ ୩୭୧ ଉସତ ପାତ୍ର, ସିପାହୀ ନଂ ୩୦୩ ହରିକ୍ରିଷ୍ଣ କୈବର୍ତ୍ତ ଗତ ୧୦ ବର୍ଷ ହେଲା ବାଟାଲିୟନର ଆକାଉଣ୍ଟସ୍ ବିଭାଗରେ କାର୍ଯ୍ୟ କରି ଆସୁଛନ୍ତି। ପ୍ରତି ମାସର ଦରମା ସହିତ ସ୍ବତନ୍ତ୍ର ଭତ୍ତା ପ୍ରଦାନ ପାଇଁ ଏହି ୩ ଯବାନ ମଷ୍ଟର ରୋଲ୍ ପ୍ରସ୍ତୁତ କରିବା ପରେ ଦରମା ବିଲକୁ କମାଣ୍ଡାଣ୍ଟ ଅନୁମୋଦନ ଦେଇଥାନ୍ତି।

ତେବେ ମଷ୍ଟରରୋଲରେ ସବୁ କିଛି ଠିକଠାକ୍ ଉଲ୍ଲେଖ ହେଉଥିବା ବେଳେ କମ୍ପ୍ୟୁଟରରେ ଟ୍ରେଜେରୀକୁ ପଠାଇବା ପାଇଁ ପ୍ରସ୍ତୁତ ହେଉଥିବା ଏଚଆରଏମଏସ୍ ବିଲରେ ଚଞ୍ଚକତା କରି ଭତ୍ତା ରାଶିକୁ ୩ ଯବାନ ହଡ଼ପ କରୁଥିଲେ। ପ୍ରତି ମାସରେ ୯ ଶହ ଯବାନଙ୍କ ଦରମା ବିଲ୍ ପ୍ରସ୍ତୁତ ହେଉଥିବାରୁ ଏପରି ଚଞ୍ଚକତା ସଂପର୍କରେ ସାମାନ୍ୟ ସୁରାକ୍ ପାଇପାରୁନଥିଲେ କମାଣ୍ଡାଣ୍ଟ୍ ଦିଲ୍ଲୀପ କୁମାର ମହାପାତ୍ର। ୨୦୧୯ ସେପ୍ଟେମ୍ବର ମାସରୁ ୨୦୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଯବାନମାନେ ଏହି କାରନାମା କରି ଆସୁଥିଲେ।

ହଡ଼ପ ହୋଇଥିବା ୩ ଲକ୍ଷ ୪୫ ହଜାର ୮୦୨ ଟଙ୍କାରୁ ସିପାହୀ ପଙ୍କଜ କୁମାର ୨ ଲକ୍ଷ ୬୮ ହଜାର ୭୬୦, ଉସତ ପାତ୍ର ୨୬ ହଜାର ୮୬୮ ଏବଂ ହରିକୃଷ୍ଣ କୈବର୍ତ୍ତ ୫୦ ହଜାର ୧୭୪ ଟଙ୍କା ନିଜ ଆକାଉଣ୍ଟ ମାଧ୍ୟମରେ ନେଇଛନ୍ତି। କୌଣସି ସୂତ୍ରରୁ କମାଣ୍ଡାଣ୍ଟ୍ ଶ୍ରୀ ମହାପାତ୍ର ଏ ସଂପର୍କରେ ସୂଚନା ପାଇବା ପରେ ଆକାଉଣ୍ଟସ୍ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଥିଲେ। ଆକାଉଣ୍ଟ୍ ଯାଞ୍ଚ ପରେ ସତ୍ୟତା ପଦାକୁ ଗତକାଲି କମାଣ୍ଡାଣ୍ଟ୍ ଶ୍ରୀ ମହାପାତ୍ର ଏ ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ୍ ଏମଙ୍କ ନିକଟରେ ଅଭିଯୋଗ କରିଥିଲେ।

ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ଗୁଣପୁର ପୁଲିସ୍ ମାମଲା ରୁଜୁ କରି ଆଜି ୩ ଯବାନଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଟଙ୍କା ହଡ଼ପ ଘଟଣାକୁ ଯବାନମାନେ ସ୍ବୀକାର କରିଥିଲେ। ଫଳରେ ପୁଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୁଣପୁର ଏସଡିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି। ଗୁଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ମାମଲାର ତଦନ୍ତ କରୁଥିବା ବେଳେ ୩ ଯବାନଙ୍କ ନାଁରେ ୪୦୯, ୪୧୭, ୪୨୦, ୪୬୫, ୪୬୮, ୪୭୧, ୩୪ ଆଇପିସି ଧାରା ଲାଗିଛି। ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜ କିଶୋର ଦାଶଙ୍କ ସମେତ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଓ ଏସ୍ଆଇ କେ. ସାମରିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର