ସହିପାରିଲେନି ପେଟର ଭୋକ!: ବୋରିକିନାରୁ ବାସୁଦେବପୁର ଚାଲି ଚାଲି ଗଲେ ୩ ଜଣ ଶ୍ରମିକ

ଜଗତସିଂହପୁର: ପେଟର ଭୋକ ସହି ପାରିଲେନି । ପରିବାର ଚିନ୍ତା ବି ମାନସିକ ଯନ୍ତ୍ରଣା ଦେଲା । ଫଳରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ବୋରିକିନାରେ ଫସି ରହିଥିବା ଭଦ୍ରକ ଜିଲ୍ଲା ବାସୁଦେବପୁରର ତମ୍ବାଖଣ୍ଡ ଗାଁର ତିନି ଜଣ ଶ୍ରମିକ ଆଜି ଚାଲି ଚାଲି ନିଜ ଘରକୁ ବାହାରିଛନ୍ତି । ସକାଳୁ ବୋରିକିନାରୁ ବାହାରି ଅପରାହ୍ନ ସୁଧ ପ୍ରାୟ ୫୦ କିମି ଚାଲି ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟ ଅତିକ୍ରମ କରି ସାରିଥିଲେ । ବାଟରେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଖାଦ୍ୟ ଯୋଗଇଥିଲେ । ତେବେ ବୋରିକିନାରୁ ବାସୁଦେବପୁର ୩୦୦ କିମିରୁ ଅଧିକ ରାସ୍ତା । ପାଖରେ ଟଙ୍କା ନାହିଁ କି ଖାଇବା ପାଇଁ ନାହିଁ । ଏଭଳି ପରିସ୍ଥିତିରେ ମଧ୍ୟ ଦୁଃଖ ଯନ୍ତ୍ରଣାକୁ ଖାତିର ନକରି ଶ୍ରମିକ ତିନି ଜଣ ରବୀନ୍ଦ୍ର କୁମାର, ନରେନ୍ଦ୍ର ସାମଲ, ତ୍ରିନାଥ ନାୟକ ନିଜ ପରିବାରକୁ ଫେରିଛନ୍ତି ।

ତେବେ ଗ୍ରୀନ୍ ଜୋନ୍‌ରେ ଥିବା ଜିଲ୍ଲାରୁ ଗ୍ରୀନ୍ ଜୋନ୍ ଜିଲ୍ଲାକୁ ପ୍ରଶାସନ ଶ୍ରମିକଙ୍କୁ ବସ୍ ଯୋଗେ ପଠାଇବାକୁ ବ୍ୟବସ୍ଥା କରୁଛି । ଗତକାଲି ତିର୍ତ୍ତୋଲ ବ୍ଲକ୍‌ରୁ ୮୦ ଜଣ ଶ୍ରମିକ ବସ୍ ଯୋଗେ ନିଜ ଘର ନୂଆପଡ଼ାକୁ ଯାଇଛନ୍ତି । ଆହୁରି ହଜାରରୁ ଅଧିକ ଶ୍ରମିକଙ୍କୁ ପଠାଯିବାର ବ୍ୟବସ୍ଥା କରାଯାଉଛି । କିନ୍ତୁ କରୋନା ପ୍ରଭାବିତ ଜିଲ୍ଲାରୁ କେହି ଗ୍ରୀନ୍‌ଜୋନ୍ ଜିଲ୍ଲାକୁ ଆସି ପାରିବେ ନାହିଁ କି ଯାଇ ପାରିବେ ନାହିଁ । ତେଣୁ ଏହି ତିନି ଜଣ ଶ୍ରମିକ ନିଜ ଭାଗ୍ୟ ଆଦରି ଚାଲି ଚାଲି ନିଜ ଘର ଅଭିମୁଖେ ଯାଇଛନ୍ତି । ବାଟରେ ଗାଡିକୁ ଯିବା ପାଇଁ ଅନୁରୋଧ କଲେ ବି ପୁଲିସ ଭୟରେ କେହି ନେଉ ନାହାନ୍ତି । ତେବେ ଚାଲି ଚାଲି ଯିବା ପ୍ରାୟତଃ ସମ୍ଭବ ହେବ ।

ରବୀନ୍ଦ୍ର କୁମାରଙ୍କ କହିବା ଅନୁସାରେ ଆମେ ଇଟା ଭାଟିରେ କାମ କରୁଥିଲୁ । ଲକ୍‌ଡାଉନ୍ ଆରମ୍ଭ ହେବ ମାତ୍ରେ କାମ ବନ୍ଦ ହୋଇ ଗଲା । ମାଲିକ ଆମକୁ କିଛି ଦିନ ଖାଇବାକୁ ଦେଲେ । ହେଲେ ତା ପରେ ସମସ୍ୟାରେ ପଡ଼ିଲୁ । କେତେ ଦିନ କାମ ଧନ୍ଦା ନକରି ବସି ରହିବୁ । ଘରେ ପିଲାମାନେ କଣ କଲେ ତାଙ୍କର କିଛି ଠିକ୍ ଠିକଣା ନାହିଁ । ଟଙ୍କା ପଠାଇଲେ ଘରେ ଚଳେ । ଆମରତ ରୋଜଗାର ନାହିଁ ମୋ ପିଲା ଛୁଆ କଣ କରୁଥିବେ କହି କାନ୍ଦି ପକାଇଥିଲେ ରବିନ୍ଦ୍ର । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ବି ସମାନ । କେବଳ ଏହି ତିନି ଜଣ ଶ୍ରମିକଙ୍କ କଥା ନୁହେଁ । ଏମିତି ଜିଲ୍ଳାରେ ଫସି ରହିଥିବା ଶ୍ରମକ ମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର