ଖୋର୍ଦ୍ଧା: ଦୁଇଦିନ ପୂର୍ବେ ତାପଙ୍ଗ ଛକ ନିକଟରେ ୫୫ ବର୍ଷୀୟ ରାଉଳ ନାୟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ଆଜି ୨ ଜଣ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ମୃତ ରାଉଳ ନାୟକ ନିଶାଗ୍ରସ୍ତ ଅବସ୍ଥାରେ ବାରମ୍ବାର ସେମାନଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରୁଥିବାରୁ ଶେଷରେ ଅସହ୍ୟ ହୋଇ ହତ୍ୟା କରିଥିବା ଗିରଫ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି।
ଆଜି ସ୍ଥାନୀୟ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରାଜ କିଶୋର ଦୋରା ମାମଲା ସମ୍ପର୍କରେ ସୂଚନାଦେଇ କହିଛନ୍ତି ଯେ ରାଉଳ ନାୟକ ତାପଙ୍ଗ କବାଟସୁନୀ ମନ୍ଦିର ପାଖରେ ଏକ ଘରେ ରହୁଥିଲା। ସେ ନିୟମିତ ଭାବେ ନିଶାଗ୍ରସ୍ତ ଅବସ୍ଥାରେ ରୁହେ ଓ ଆଖପାଖର ମହିଳାଙ୍କ ପ୍ରତି ଅସଦାଚରଣ କରିଥାଏ। ଏହାକୁ ନେଇ ଆଖପାଖର ଲୋକଙ୍କ ସହ ରାଉଳର ପୂର୍ବରୁ ଅନେକଥର ଗଣ୍ଡଗୋଳ ମଧ୍ୟ ଘଟିଛି। ଏଭଳି ଆଚରଣ ନଛାଡ଼ିଲେ ମାରିଦେବେ ବୋଲି ଲୋକମାନେ ରାଉଳକୁ ଧମକ ମଧ୍ୟ ଦେଇଥିଲେ। ତେବେ ୪ ତାରିଖ ରାତିରେ ରାଉଳ ଅଞ୍ଚଳର ମାମି ନାୟକ ଓରଫ ମିଞ୍ଜି ଓ ମାଳତୀ ବିନ୍ଧାଣିଙ୍କୁ ଟଣାଓଟରା କରିଥିଲା। ଏଥିରେ, ଉଭୟ ମହିଳା ଓ ଗୋବିନ୍ଦ ବେହେରା ନାମକ ଜଣେ ଯୁବକ ମିଶି ରାଉଳକୁ ମାରିଦେଇଥିଲେ। ମିଞ୍ଜିର ଘର ଗଞ୍ଜାମର ପୁରୁଷୋତ୍ତମପୁର ହୋଇଥିବା ବେଳେ ମାଳତୀଙ୍କ ଘର କୋରାପୁଟର କେରଲା ଓ ଗୋବିନ୍ଦଙ୍କ ଘର ଢ଼େଙ୍କାନାଳର ସାପୁଆଝର।
ସମସ୍ତ ଅଭିଯୁକ୍ତ ନିଟକଟରେ ପଥର ବାଡ଼େଇବା ଓ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ୫ ତାରିଖ ସକାଳେ ଫରେନ୍ସିକ୍ ଟିମ୍ ପହଞ୍ଜି ରାଉଳଙ୍କ ମୃତଦେହ ନିକଟରୁ ରକ୍ତଭିଜା ମାଟି ଆଦି ଅଣାଯିବା ସହ ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରାଯାଇଥିଲା। ପରେ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିହ୍ନଟ ହେବା ପରେ ସେମାନଙ୍କୁ ଗିରଫ କରାଯିବା ସହ ହତ୍ୟାରେ ବ୍ୟବହୃତ ବାଉଁଶ, ଲୁହା ଶାବଳ ଆଦି ଜବତ କରାଯାଇଛି। ଆଜି ଅଭିଯୁକ୍ତ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ୫ ତାରିଖ ସକାଳେ ମିଥୁନ ନାୟକ ନାମକ ଜଣେ ଯୁବକ ସଦର ଥାନାରେ ତାଙ୍କ ପିତା ରାଉଳ ନାୟକଙ୍କୁ କେହି ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ୧୦୯/୨୦୨୧ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ଦୋରାଙ୍କ ସମେତ ଏସ୍ଡ଼ିପିଓ ସୁଶୀଲ ମିଶ୍ର, ସଦର ଥାନା ଅଧିକାରୀ ଅନୀତା ସାହୁ ଉପସ୍ଥିତ ଥିଲେ।