କରୋନାର କରୁଣ ଚିତ୍ର: ଗୋଟିଏ ପରିବାରରୁ ନେଲା ୩ ଜୀବନ, ରବିବାର ହେଲା କାଳବାର

ସମ୍ବଲପୁର: ପ୍ରାୟ ମାସକ ବ୍ୟବଧାନରେ ଗୋଟିଏ ପରିବାରର ତିନି ଜଣ ଆଖି ବୁଜିଛନ୍ତି। ଦୁଇ ପୁଅ ଝିଅ କରୋନାର କରାଳ ଗ୍ରାସରେ ଜୀବନ ହାରିଥିବା ବେଳେ ସାଥୀରେ ବୃଦ୍ଧା ମା’ଙ୍କୁ ମଧ୍ୟ ଡାକି ନେଇଛନ୍ତି ଆରପାରିକୁ। କିନ୍ତୁ କରୋନା ଏଭଳି କରୁଣ ପରିସ୍ଥିତି ସୃଷ୍ଟି କରିଥିଲା ଯେ କିଛି କିଛି ଦିନ ବ୍ୟବଧାନରେ ମୃତ୍ୟୁ ବରଣ କରିଥିବା ଏହି ରକ୍ତ ସଂପର୍କୀୟ ମାନେ ପରସ୍ପରର ମୃତ୍ୟୁ ସଂପର୍କରେ ବି ଅଗୋଚର ଥିଲେ। କରୋନା ଏଭଳି ଏକ କରୁଣ କାହାଣୀ ରଚିଛି ସମ୍ବଲପୁର ସହର ଚେରୁଆପଡ଼ାର ପଟେଲ ପରିବାରରେ।

ଗତ ୨୫ ତାରିଖ ରବିବାର ଦିନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବରିଷ୍ଠ ଶିକ୍ଷୟିତ୍ରୀ ଶାନ୍ତିରାଣୀ ପଟେଲ (୫୭) ସମ୍ବଲପୁର କୋଭିଡ୍ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ସେପ୍‌ଟେମ୍ବର ୨୫ରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ୧ ମାସ ଧରି କୋଭିଡ୍ ହସ୍‌ପିଟାଲ୍‌ରେ ମରଣ ସହ ସଂଘର୍ଷ କରିବା ପରେ ଶେଷରେ ସେ ହାର ମାନିଥିଲେ। ଏହା ପୂର୍ବରୁ ସେପ୍‌ଟେମ୍ବର ୨୦ ତାରିଖ ଦିନ ପ୍ରଥମେ ତାଙ୍କ ବଡ଼ ଭାଇ  ସୁବାସ ଚନ୍ଦ୍ର ପଟେଲ (୫୯)ଙ୍କର କରୋନାରେ ମୃତ୍ୟୁ ହୋଇଥିଲା।

କୋଭିଡ୍‌ ଡାକ୍ତରଖାନାରେ ପୁଅର ମୃତ୍ୟୁ ସଂପର୍କରେ ତାଙ୍କର ବୃଦ୍ଧା ମା’ ତୁଲ୍‌ସା କୁମାରୀ ପଟେଲ (୮୯)ଙ୍କୁ ପରିବାରବର୍ଗ ଜଣାଇ ନଥିଲେ। କିନ୍ତୁ ଠିକ୍‌ ସପ୍ତାହେ ପରେ ଅର୍ଥାତ୍ ସେପ୍‌ଟେମ୍ବର ୨୭ ତାରିଖ ସେହି ରବିବାରରେ ମା’ ତୁଲ୍‌ସାଙ୍କର ବି ତାଙ୍କ ଘରେ ପରଲୋକ ହୋଇଥିଲା। ତାଙ୍କର କୋଭିଡ୍ ପରୀକ୍ଷା ହୋଇ ନଥିବାରୁ ସେ ଆକ୍ରାନ୍ତ ଥିଲେ କି ନାହିଁ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ତାଙ୍କ ମୃତ୍ୟୁର ୨ ଦିନ ପୂର୍ବରୁ ଝିଅ ଶାନ୍ତିରାଣୀ କୋଭିଡ୍ ଆକ୍ରାନ୍ତ ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇ ସାରିଥିଲେ।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ତାଙ୍କୁ ମା’ଙ୍କ ମୃତ୍ୟୁ ସଂପର୍କରେ ଖବର ଦିଆଯାଇ ନଥିଲା। ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ ବି ତଥା ଅନେକ ଶାରୀରିକ ଜଟିଳତା ରହିଥିଲେ ବି ପ୍ରାୟେ ମାସେ କାଳ କୋଭିଡ୍ ହସ୍‌ପିଟାଲ୍‌ର ଡାକ୍ତର ଓ କର୍ମଚାରୀ ମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ। କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା। ପୁଣି ଆଉ ଏକ ରବିବାରରେ ଅର୍ଥାତ୍‌ ବିଜୟା ଦଶମୀ ତିଥିରେ ହିଁ ଶାନ୍ତିରାଣୀ ମା’ ଓ ଭାଇଙ୍କ ପାଖକୁ ଚାଲି ଯାଇଥିଲେ ସବୁଦିନ ପାଇଁ। କରୋନା କାଳର ଆଶ୍ବିନ ରବିବାର ଗୁଡ଼ିକ ପଟେଲ ପରିବାର ପାଇଁ କାଳବାର ପାଲଟି ଗଲା। ଶାନ୍ତିରାଣୀ ପ୍ରାୟ ୩୦ ବର୍ଷ ହେଲା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କରୁଥିଲେ।

ସମ୍ବନ୍ଧିତ ଖବର