ଦୁଃଖର ପାହାଡ଼ ତଳେ ଦିବ୍ୟାଙ୍ଗ ପରିବାର: ବୃଦ୍ଧାଙ୍କ କାନ୍ଧରେ ଦିବ୍ୟାଙ୍ଗ ପତ୍ନୀ ଓ ଦିବ୍ୟାଙ୍ଗ ଝିଅର ଭାର

ସହଯୋଗର ହାତ ବଢ଼େଇ ସାହାରା ସାଜିଲେ ସ୍ବେଚ୍ଛାସେବୀ

ବାରିପଦା: ଦାରିଦ୍ର୍ୟ ପୁଣି ଦିବ୍ୟାଙ୍ଗ ପତ୍ନୀ ଓ ଦିବ୍ୟାଙ୍ଗ ଝିଅର ଭାରକୁ ନେଇ ଭାରାକ୍ରାନ୍ତ ହୋଇପଡ଼ିଲେଣି ଗୋପୀ। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହି ଯୋଜନା ଅନେକ କ୍ଷେତ୍ରରେ କିପରି ବିଫଳ ହୋଇଛି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସଦରମହକୁମାର ବାରିପଦା ସହରର ମଧ୍ୟ ଭାଗରେ।

ଦ୍ବୀପତଳ ଅନ୍ଧାର ଭଳି ବାରିପଦା ସହରର ମଧ୍ୟ ଭାଗ ୱାର୍ଡ ନମ୍ବର ୨୦ ବାଲଟି କାରଖାନା ନିକଟସ୍ଥ ଏକ ବସ୍ତି। ଯେଉଁଠି ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ନାହିଁ ନ ଥିବା ଅସୁବିଧା କଥା ନ କହିଲେ ନ ସରେ। ଛିଣ୍ଡା ପଲିଥିନ ଓ ଭଙ୍ଗା ଦଦରା ଘରେ ଦୁଇ ବୃଦ୍ଧା ନିଜ ଦିବ୍ୟାଙ୍ଗ ଛୁଆ ପିଲାଙ୍କ ସହ ଖରା ବର୍ଷା ମାଡ ଖାଇ ନିଜ ଜୀବନ ଅତିବାହିତ କରୁଛନ୍ତି । ଏହି ବସ୍ତିରେ ରହୁଥିବା ଦିବ୍ୟାଙ୍ଗ ପରିବାରର ମୁଖ୍ୟ ଗୋପି ବିନ୍ଧାଣି(୭୨) ଦିବ୍ୟାଙ୍ଗ ସ୍ତ୍ରୀ ଜେମା ବିନ୍ଧାଣି(୫୩) ଏବଂ ଦିବ୍ୟାଙ୍ଗ ଝିଅ ଲଷ୍ମୀ ବିନ୍ଧାଣି (୪୧)ଙ୍କୁ ନେଇ ଦୁଃଖରେ କାଳାତିପାତ କରୁଛନ୍ତି। ଲକ୍ଷ୍ମୀ ଜନ୍ମରୁ ମାନସିକ ରୋଗୀ ହେବା ସହିତ କାନକୁ ଶୁଣା ଯାଏନାହିଁ କି କଥା ମଧ୍ୟ କହିପାରନ୍ତି ନାହିଁ। ମାଆ ମଧ୍ୟ ଦିବ୍ୟାଙ୍ଗ। ସରକାରୀ ସୁବିଧା ଯେପରି ସାତ ସପନ ଏହି ପରିବାର ପାଇଁ।

ଭୂମିହୀନ ଏହି ପରିବାରକୁ କିଛି ବର୍ଷ ପୂର୍ବେ ରଙ୍ଗାମାଟିଆସ୍ଥିତ ଜଙ୍ଗଲ ପାଖରେ ସରକାରୀ ଜମି ମିଳିଛି। କିନ୍ତୁ ଦିବ୍ୟାଙ୍ଗ ଝିଅ ଓ ସ୍ତ୍ରୀ’ଙ୍କୁ ନେଇ ସେଠାରେ ରହିବା ଅନୁପଯୋଗୀ ହେବାରୁ ପୁଣି ସେମାନେ ରେଳ ବିଭାଗ ଜମିରେ ରହୁଛନ୍ତି। ରୋଜଗାର ଅଭାବରୁ ଏହି ଦୁଃଖୀ ପରିବାର ଦୁଇ ଓଳି ଦୁଇମୁଠା ଖାଇବାକୁ ମଧ୍ୟ ପାଉନାହାନ୍ତି। ତେବେ ଏହି ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଦିବ୍ୟାଙ୍ଗ ସଂଘ ସଭାପତି ଅରୁଣ କୁମାର ବେହେରା ଓ ଜାଗ ମୟୂରଭଞ୍ଜ ଜାଗର କର୍ମକର୍ତ୍ତା।ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଅଧିକାରୀ ନାରାୟଣ ବେହେରାଙ୍କ ସହିତ ଯୋଗାଯୋଗ କରି ଆଜି ଦିବ୍ୟାଙ୍ଗ ପରିବାରକୁ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଅଛି। ସ୍ବେଚ୍ଛାସେବୀ ସୋନାଲି ପ୍ରିୟଦର୍ଶିନୀ ବେହେରା, ତପସ୍ୱୀନି ରଣା, ବିଜୟଲଷ୍ମୀ ନାୟକ,ସୁମିତା ଚୋବେ ପ୍ରମୁଖ ଗୋପୀଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି। ଆଗାମୀ ଦିନରେ ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରି ଏହି ଦିବ୍ୟାଙ୍ଗ ପରିବାରକୁ ରହିବା ଉପଯୋଗୀ ସ୍ଥାନରେ ଥଇଥାନ ନିମନ୍ତେ ଦାବି ଜଣେଇବେ ବୋଲି ଅରୁଣ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର