ରାଉରକେଲା (ସତୀଶ ଶର୍ମା): ଜାତୀୟ କନିଷ୍ଠ ବାଳକ ଦଳର ଜର୍ମାନୀ ଗସ୍ତ ପାଇଁ ହକି ଇଣ୍ଡିଆ ୨୦ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଏହି ଦଳରେ ସୁନ୍ଦରଗଡ଼ ଜିଲ୍ଲାର ତିନି ଜଣ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅମନଦୀପ ଲାକଡ଼ା (ରକ୍ଷଣ ଭାଗ), ସୁନିତ ଲାକଡ଼ା (ମଧ୍ୟ ଭାଗ) ଏବଂ ସୁଦୀପ ଚିର୍ମାକୋ (ଫରୱାର୍ଡ)। ଏହି ଦଳ ଜର୍ମାନୀର ଡସେଲ୍ଡର୍ଫରେ ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ। ଏଥିରେ ଆୟୋଜକ ଜର୍ମାନୀ ସହ ଇଂଲଣ୍ଡ ଏବଂ ସ୍ପେନ ଦଳ ଭାଗନେବେ। ଜର୍ମାନୀ ପରେ ଡିସେମ୍ବର ୫ରୁ ୧୬ ପର୍ଯ୍ୟନ୍ତ ମାଲେସିଆର କୁଆଲାଲୁମ୍ପୁର୍ରେ ହେବାକୁ ଥିବା କନିଷ୍ଠ ବିଶ୍ବକପ୍ ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ତିନି ଖେଳାଳି ମତ ଦିଅନ୍ତି। ଗତ ମେ ୨୫ରୁ ଜୁନ ୧ ପର୍ଯ୍ୟନ୍ତ ଓମାନ୍ର ସଲାଲାହଠାରେ ଖେଳା ଯାଇଥିବା ନବମ କନିଷ୍ଠ ବାଳକ ଏସିଆ କପ ହକି ପ୍ରତିଯୋଗିତାର ଚାମ୍ପିଅନ୍ ଭାରତୀୟ ଦଳରେ ସାମିଲ ହୋଇ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଥିବା ଏହି ତିନି ଯୁବ ଖେଳାଳିଙ୍କ ସଂପର୍କରେ ସ୍ବତନ୍ତ୍ର ଉପସ୍ଥାପନା।
ଅମନଦୀପ ଲାକଡ଼ା (ଡିଫେଣ୍ଡର)
ଦିଲୀପ ତିର୍କିଙ୍କ ସମେତ ବହୁ ବଡ଼ ହକି ଖେଳାଳିଙ୍କୁ ଜନ୍ମ ଦେଇଥିବା ସୁନ୍ଦରଗଡ଼ ଜିଲ୍ଲା ବାଲିଶଂକରା ବ୍ଲକ୍ର ସାଉନାମାରାର ପ୍ରତିଟି ପିଲା ବଡ଼ ହୋଇ ହକି ଖେଳାଳି ହେବାର ସ୍ବପ୍ନ ଦେଖନ୍ତି। ଅମନଦୀପ ଲାକଡ଼ା ସେମାନଙ୍କ ମଧ୍ୟରୁ ଜଣେ। ଭାରତୀୟ କନିଷ୍ଠ ହକି ଦଳର ସଦସ୍ୟ ହୋଇ ସେ ନା କେବଳ ନିଜ ଗାଁର ନାମକୁ ଆଗେଇ ନେଇଛନ୍ତି, ନିଜ ପିତା ବରିଷ୍ଠ ହକି ପ୍ରଶିକ୍ଷକ ବିଜୟ ଲାକଡ଼ାଙ୍କ ଅଧୁରା ସ୍ବପ୍ନକୁ ମଧ୍ୟ ପୂରା କରିଛନ୍ତି। ୨୦୧୪ରୁ ୨୦୧୯ ଯାଏ ପାନପୋଷ ଛାତ୍ରାବାସରେ ରହି ହକିର ପ୍ରଥମ ପାଠ ପଢ଼ିଥିଲେ ଅମନଦୀପ। ବାପା ବିଜୟ ହିଁ ତାଙ୍କର ପ୍ରଥମ ପ୍ରଶିକ୍ଷକ ଥିଲେ। ପାନପୋଷ ପରେ ସେ ବର୍ଷକ ପାଇଁ ଭୋପାଳସ୍ଥିତ ସାଇର ଜାତୀୟ ଉତ୍କର୍ଷ କେନ୍ଦ୍ରରେ ପ୍ରଶିକ୍ଷଣ ନେଇଥିଲେ। ଜାତୀୟସ୍ତରର ବିଭିନ୍ନ ପ୍ରତିଯୋଗିତାରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଅମନଦୀପ ଗତ ବର୍ଷ ମାଲେସିଆରେ ଅନୁଷ୍ଠିତ ବାର୍ଷିକ ଜୋହର କପ ପ୍ରତିଯୋଗିତାରେ ଭାରତୀୟ ଦଳରେ ପଦାର୍ପଣ କରିଥିଲେ। ଦଳ ଚାମ୍ପିଅନ୍ ମଧ୍ୟ ହୋଇ ଥିଲା। ସେ ଗତ ବର୍ଷ କୋରିଆ ବିରୋଧରେ ଟେଷ୍ଟ ମ୍ୟାଚ୍ ଓ ଦୁଇମାସ ତଳେ କନିଷ୍ଠ ଏସିଆ କପ୍ରେ ଦେଶର ପ୍ରତିନିଧିତ୍ବ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଦିଲୀପ ତିର୍କିଙ୍କୁ ନିଜ ଆଦର୍ଶ ଖେଳାଳି ମାନୁଥିବା ଅମନଦୀପ ଜଣେ ଦକ୍ଷ ଡ୍ରାଗ୍ ଫ୍ଲିକର୍ ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ସୁଦୀପ ଚିର୍ମାକୋ (ଫରୱାର୍ଡ଼)
ସୁନ୍ଦରଗଡ଼ର ଆଦିବାସୀ ଖେଳାଳିଙ୍କ ମଧ୍ୟରେ ଯେତେ ସଂଖ୍ୟକ ରକ୍ଷଣଭାଗ ଖେଳାଳି ବାହାରୁଛନ୍ତି ସେହି ଅନୁପାତରେ ପୁରୋଭାଗ (ଫରୱାର୍ଡ) ଖେଳାଳି ଦେଖିବାକୁ ମିଳୁ ନାହାନ୍ତି। ସେହି ଦୃଷ୍ଟିରୁ ସୁଦୀପ ଚିର୍ମାକୋ ସ୍ବତନ୍ତ୍ର। ନିଜ ଗତି ଓ ଗୋଲ କରିବା କ୍ଷମତା ପାଇଁ ବିଗତ ପାଞ୍ଚ ବର୍ଷ ଧରି ସେ ଭାରତୀୟ କନିଷ୍ଠ ହକି ଦଳର ସଦସ୍ୟ ରହି ଆସୁଛନ୍ତି। ସୁଦୀପ ତିନିଜଣଙ୍କ ମଧ୍ୟରେ ବରିଷ୍ଠ। ରାଜଗାଙ୍ଗପୁର ବ୍ଲକ ବଡ଼ନୂଆଗାଁର ବିପିନ କିଶୋର ଚିର୍ମାକୋ ଏବଂ ପାଉଲିନା ଚିର୍ମାକୋଙ୍କ ପୁଅ ସୁଦୀପ ୨୦୧୩ରେ ପାନପୋଷ ହକି ଛାତ୍ରାବାସରେ ପ୍ରବେଶ କରିଥିଲେ। ସେଠାରେ ବିଜୟ ଲାକଡ଼ା, ଅମୂଲ୍ୟ ବେହେରା ଏବଂ ପିଟର ସୋରେଙ୍ଗଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଇଥିଲେ। ଭାରତୀୟ ଦଳର ଆକାଶଦୀପ ସିଂହ ତାଙ୍କର ପ୍ରିୟ ଖେଳାଳି। ୨୦୧୮ରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଯୁବ ଅଲିମ୍ପିକ୍ରେ ସେ ପ୍ରଥମେ ଦେଶର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ଉକ୍ତ ପ୍ରତିଯୋଗିତାରେ ସେ ୧୧ଟି ଗୋଲ କରି ଶ୍ରେଷ୍ଠ ସ୍କୋରର୍ ହୋଇଥିଲେ। ଭାରତ ସେଠାରେ ରୌପ୍ୟ ପଦକ ପାଇଥିଲା। ପରବର୍ତ୍ତୀ ସମୟରେ ସେ ୨୦୧୯ରେ ସ୍ପେନ୍, ୨୦୨୦ ଓ ୨୦୨୨ରେ ମାଲେସିଆରେ ଜୋହର କପ, ୨୦୨୧ରେ ଭୁବନେଶ୍ୱରରେ ଅନୁଷ୍ଠିତ କନିଷ୍ଠ ବିଶ୍ୱକପ୍ ହକି ଏବଂ ନିକଟରେ ଅନୁଷ୍ଠିତ କନିଷ୍ଠ ଏସିଆ କପ୍ରେ ଭାରତୀୟ ଦଳର ନିୟମିତ ସଦସ୍ୟଭାବେ ଖେଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।
ସୁନିତ ଲାକଡ଼ା, ମିଡଫିଲଡର
ପ୍ରତିଭା ସମ୍ପନ୍ନ ହକି ଖେଳାଳିଙ୍କ ଜନ୍ମମାଟିଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍ ଝୁନମୁର ଗାଁର ରାଜେଶ ଲାକଡ଼ା ଏବଂ ହିଲଦା ଲାକଡ଼ାଙ୍କ ତିନିପୁଅ ମଧ୍ୟରେ ବଡ଼ ସୁନିତ ଦ୍ବିତୀୟ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ମଧ୍ୟ ଭାଗ ଖେଳାଳି ଭାବେ ଖେଳୁଥିବା ୨୧ ବର୍ଷୀୟ ସୁନିତ ଗତ ମେ ମାସରେ କନିଷ୍ଠ ଏସିଆ କପ୍ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଉକ୍ତ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା। ୨୦୧୪ରେ ସୁନିତ ପାନପୋଷ ହକି ଛାତ୍ରାବାସରେ ପ୍ରବେଶ କରିବା ପରେ ପ୍ରଶିକ୍ଷକ ଅମୁଲ୍ୟ ବେହେରା ଏବଂ ପିଟର ସୋରେଙ୍ଗଙ୍କ ତତ୍ତ୍ବାବଧାନରେ ନିଜ କ୍ରୀଡ଼ା କୌଶଳକୁ ଶାଣିତ କରିଥିଲେ। ୨୦୨୦ରୁ ସେ ଭୋପାଳସ୍ଥିତ ସାଇର ଜାତୀୟ ଉତ୍କର୍ଷ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି। ହାର୍ଦ୍ଦିକ ସିଂହଙ୍କୁ ନିଜ ଆଦର୍ଶ ମାନୁଥିବା ସୁନିତ ଭାରତୀୟ ଜର୍ସି ପିନ୍ଧିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ଓ ଆଗାମୀ ଦିନରେ ଜାତୀୟ ବରିଷ୍ଠ ଦଳରେ ସାମିଲ ହେବା ପାଇଁ ପରିଶ୍ରମ ଜାରି ରଖିବେ ବୋଲି କହିଛନ୍ତି।