ମୟୂରଭଂଜ: ଝାଡ଼ଖଣ୍ଡରେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଦୁର୍ଘଟଣାରେ ୩ ଓଡ଼ିଆ ମୃତ

ରାଇରଙ୍ଗପୁର: ଝାଡ଼ଖଣ୍ଡରେ ଏକ ଯାତ୍ରୀବାହୀ ବସ୍‌ ବାଇକ୍‌କୁ ଧକ୍କା ଦେବାରୁ ୩ ଜଣ ଓଡ଼ିଆଙ୍କର ମୃତ୍ୟୁ ଘଟିଥିବା ବୁଧବାର ଜଣାପଡ଼ିଛି। ବାପା, ପୁଅ ଓ ଅନ୍ୟ ଜଣେ ମହିଳା ଦୁର୍ଘଟଣାର ଶିକାର ହୋଇଛନ୍ତି। ମୃତକମାନେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ବଣକାଟି ଗାଁର ବୋଲି ଜଣାପଡ଼ିଛି।

ଜାତୀୟ ରାଜପଥ ନମ୍ବର ୨୦୩ରେ ଆଜି ଅପରାହ୍ଣ ୨ଟାରେ ଏହି ଘଟଣା ଘଟିଛି। ୩ ଜଣ ବାଇକ୍‌ରେ ଆସୁଥିବା ବେଳେ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଥିଲା। ସମସ୍ତଙ୍କୁ ଗୁରୁତର ଭାବେ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ ଅନୁସାରେ ବସ୍‌ଟି ଜାତୀୟ ରାଜପଥରେ ଟାଟାରୁ ଚାଇବସା ଯାଉଥିବା ବେଳେ ଟିରିଲଡିହରେ ବାଇକ୍‌କୁ ଧକ୍କା ମାରିଥିଲା। ଫଳରେ ଦୁର୍ଘଟଣାରେ ମଙ୍ଗଳ ବାନସିଂହ (୩୫), ତାଙ୍କର ପୁଅ ଓ ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳ ଝାଡ଼ଖଣ୍ଡରେ ଦିନ ମଜୁରିଆ ଅଥବା ଠିକା କାମ କରି ପେଟ ପୋଷୁଥିବା ବେଳେ ବହୁ ଦିନ ନିଜ ଜନ୍ମମାଟିକୁ ଆସି ନଥିଲେ।

ସମ୍ବନ୍ଧିତ ଖବର