ଅବକାରୀ ଅଧିକାରୀ ମଦ ମାଫିଆ ମଧୁଚନ୍ଦ୍ରିକା, ଜାଲ୍ କାଗଜପତ୍ରରେ ୩ ଅନସପ୍

ରାୟଗଡ଼ା: ର୍ଦୁନୀତିରେ ବୁଡ଼ିଛି ରାୟଗଡ଼ା ଅବକାରୀ କାର୍ଯ୍ୟାଳୟ। ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଯୋଗୁ ରାଜସ୍ବ ନିଶାରେ ଜାଲ୍ କାଗଜପତ୍ରରେ ଖୋଲି ଚାଲିଛି ମଦ ଦୋକାନ ଓ ଅନସପ୍ (ବାର୍)। ଯାହାର ଖୁଲାସା କରିଛି ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି। ଜାଲ୍ କାଗଜପତ୍ର, ବିନା ପଲ୍ଲୀସଭାରେ ଟିକିରି, ରାୟଗଡ଼ା, ଗୁଣପୁରରେ ୩ଟି ଅନସପ୍ ଖୋଲିବାକୁ ଅବକାରୀ ବିଭାଗ ସମସ୍ତ କାଗଜପତ୍ରକୁ ଅନୁମୋଦନ କରି ଲାଇସେନ୍ସ ପ୍ରଦାନ ପାଇଁ ଅବକାରୀ କମିସନରଙ୍କୁ ପ୍ରଦାନ କରିଛି। ଏହା ବାବଦକୁ ଲକ୍ଷାଧିକ ଟଙ୍କା ଡିଲ୍ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ଦୂର୍ଗା ପ୍ରସାଦ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଡିଲ୍ ଟଙ୍କା ଅବକାରୀ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ନିକଟରେ ପହଞ୍ଚିଛି। ତୁରନ୍ତ ରାଜ୍ୟ ସରକାର ଓ ଅବକାରୀ କମିସନର୍ ଏଥିପ୍ରତି ଦୃଷ୍ଟି ଦେଇ ଲାଇସେନ୍ସକୁ ରଦ୍ଦ ନ କଲେ ଆଗାମୀ ଦିନରେ କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାସହ ଆନ୍ଦୋଳନକୁ ଓହ୍ଲାଇବ। ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି, ୩ଟି ଅନସପ୍ ପାଇଁ ଆବେଦନ କରିଥିବା ମଦ ବ୍ୟବସାୟୀ ଅବକାରୀ ବିଭାଗର ରାଜସ୍ବ ବାବଦକୁ ୭୦ରୁ ଉର୍ଦ୍ଧ୍ବ ଲକ୍ଷ ଟଙ୍କା ବାକି ଅଛି। ରାଜସ୍ବ ବାକି ଥିବା ବ୍ୟବସାୟୀଙ୍କୁ ପୁନଃ ଲାଇସେନ୍ସ ନ ଦେବା ପାଇଁ ସରକାରଙ୍କ ନିୟମ ରହିଛି। ହେଲେ ସଂପୃକ୍ତ ବ୍ୟବସାୟୀ ଚତୁରତାର ସହ ନିଜ ସ୍ତ୍ରୀଙ୍କ ନାଁରେ ରାୟଗଡ଼ା ଠିକଣା ଦେଇ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ଅନ୍ଧ ଭଳି ଏହି ଆବେଦନକୁ ଗ୍ରହଣ କରି ଲାଇସେନ୍ସ ପ୍ରଦାନ ପାଇଁ ବିଭାଗକୁ ସୁପାରିଶ କରିଛନ୍ତି। ଅନ୍ୟପକ୍ଷରେ କାଶୀପୁର ବ୍ଲକର ଟିକିରି ଡଙ୍ଗାସିଲ୍ ରୋଡରେ ହେବାକୁ ଅନସପ୍ ପାଇଁ ଗ୍ରାମ ସଭା ହୋଇନଥିବା ବେଳେ ଜାଲ୍ କାଗଜପତ୍ରରେ ଗ୍ରାମ ସଭା ହୋଇଥିବା ଦର୍ଶାଯାଇଛି। ସେହିପରି ରାୟଗଡ଼ା କପିଳାଶ ରୋଡ୍ ଓ ଗୁଣପୁର ମରାଠିଗୁଡ଼ା ଅନସପ୍ ପାଇଁ ସମାନ୍ ଜାଲିଆତି ହୋଇଛି।

ଏପରିକି ଡଙ୍ଗାସିଲ୍ ରୋଡରେ ବ୍ଲୁମୁନ୍ ରେଷ୍ଟୁରାଣ୍ଟ୍ ଓ କପିଳାଶ ରୋଡରେ ଡେ ଡ୍ରିମ୍ ରେଷ୍ଟୁରାଣ୍ଟ୍ ଥିବା ନେଇ କାଗଜପତ୍ରରେ ଉଲ୍ଲେଖ ଥିଲେ ମଧ୍ୟ ସଂପୃକ୍ତ ସ୍ଥାନରେ ଏମିତି କୌଣସି ହୋଟେଲ୍ ନଥିବା କଂଗ୍ରେସ ଅଭିଯୋଗ କରିଛି। କପିଳାଶ ରୋଡ୍ ଅନସପକୁ ୧୩ ନଂ ୱାର୍ଡବାସୀ ବିରୋଧ କରି ବାର୍ ନ ଖୋଲିବାକୁ ଅବକାରୀ ସଚିବ, କମିସନର, ଜିଲ୍ଲାପାଳ, ଅବକାରୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। କିନ୍ତୁ ଅବକାରୀ ଆଇନ ୨୦୧୭ ଧାରା ୨୬କୁ ସଂପୂର୍ଣ୍ଣ ଉଲ୍ଲଂଘନ କରି କପିଳାଶ ରୋଡ୍ ଅନସପ୍ ପାଇଁ ଜାଲ୍ କାଗଜପତ୍ର ପ୍ରସ୍ତୁତ କରାଯାଇଛି। ୧୩ ନଂ ୱାର୍ଡରେ ୪ଟି ଅଫସପ୍ ଓ ଗୋଟିଏ ଅନସପ୍ ଥିବା ସତ୍ତ୍ବେ ଅବକାରୀ ବିଭାଗ କାହିଁକି ଆଉ ଗୋଟିଏ ଅନସପକୁ ଲାଇସେନ୍ସ ଦେବାକୁ ଇଚ୍ଛୁକ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଗତ ମାର୍ଚ୍ଚରେ ଗୁଣପୁର ମରାଠିଗୁଡା ଅନସପ୍ ପାଇଁ ଜିଲ୍ଲାପାଳ ଲାଇସେନ୍ସ ଦେଇଥିବା ବେଳେ ଟିକିରି ଡଙ୍ଗାସିଲ୍ ରୋଡ୍ ଅନସପ୍ ଫାଇଲ୍ ଅବକାରୀ ମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। କପିଳାଶ ରୋଡ୍ ଅନସପ୍ ଫାଇଲ ଅବକାରୀ କମିସନରଙ୍କ ପାଖରେ ପଡିଛି। ଜାଲ୍ କାଗଜପତ୍ର ଓ ବେନିୟମ ‌ଭାବେ ଜିଲ୍ଲାପାଳ ସୁପାରିଶ କରିଥିବା ଗୁଣପୁର ମାଲବାର ‌ରେଷ୍ଟୁରାଣ୍ଟ୍ ଅନସପ୍ ସହିତ ଟିକିରି ଡଙ୍ଗାସିଲ୍ ରୋଡ୍ ଓ କପିଳାଶ ରୋଡ୍ ଅନସପ୍ ଲାଇସେନ୍ସ ରଦ୍ଦ ନ ହେଲେ ଖୁବଶୀଘ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ ଆନ୍ଦୋଳନ ଜୋରଦାର୍ କରିବାକୁ କଂଗ୍ରେସ ଚେତାବନୀ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଦିବାସୀ ନେତା ତଥା ରାୟଗଡ଼ା ବିଧାନସଭା ପ୍ରାର୍ଥୀ ଆପଲସ୍ବାମୀ କାଡ୍ରକା, ଜିଲ୍ଲା ସାଧାରଣ ସଂପାଦକ ପାର୍ଥବର୍ଦ୍ଧନ, ନଗର କଂଗ୍ରେସ ସଭାପତି ଏମ୍. ଶଙ୍କର ରାଓ, ଆସଲାମ୍ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର