ଲକ୍ଷାଧିକ ଟଙ୍କାର ଚୋରି ପାଣିପମ୍ପ ଓ ବିଦ୍ୟୁତ୍‌ ଉପକରଣ ଉଦ୍ଧାର, ୩ ଗିରଫ

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଳା କଂଟାବାଞ୍ଜି ଧୁବାପଡ଼ାରୁ ପୁଲିସ ଲକ୍ଷାଧିକ ଟଙ୍କାର ଚୋରି ପାଣିପମ୍ପ ଓ ବିଦୁତ୍‌ ଉପକରଣ ଉଦ୍ଧାର କରିଛି। ଉଦ୍ଧାର ସାମଗ୍ରୀଗୁଡ଼ିକ ମଧ୍ୟରେ ୩ଟି ସବ୍‌ମର୍‌ସିବଲ୍‌ ପାଣିପମ୍ପ, ୨ଟି ବାଇକ୍‌, ୫ଟି ଜେନେରେଟର, ୨ଟି ସୋଲାର ପ୍ଲେଟ, ଷ୍ଟାବଲାଇଜର, ବିଦ୍ୟୁତ୍‌ ମିଟର ସହ ଅନେକ ବିଦ୍ୟୁତ୍‌ ଉପକରଣ ରହିଛି। ଏସବୁ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦନ୍ଦ୍ରା ଗାଁର ଲଳିତ ଦୀପ, ବଙ୍ଗୋମୁଣ୍ଡା ନୂଆପଡ଼ାର ଗଜାନନ ଭୋଇ ଓ କଂଟାବାଞ୍ଜି ଧୁବାପଡ଼ାର ଉତ୍ତମ ସାହୁ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କଂଟାବାଞ୍ଜି ଥାନା କୁଲିଆଦୋରୋ ଗାଁର କେଶରୀ ନାୟକଙ୍କ ସବ୍‌ମର୍‌ସିବଲ୍‌ ପାଣିପମ୍ପ ଚୋରି ହୋଇଥିଲା। ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରି ଏସ୍‌ଆଇ ପ୍ରଦୀପ ଗୁରିଆ ଓ ସୁନ୍ଦର ବେହେରା ତଦନ୍ତ କରୁଥିଲେ। ପ୍ରଥମେ ଜଣକୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରିଥିଲେ। ସେ ପୁଲିସକୁ ଦେଇଥିବା ତଥ୍ୟକୁ ଆଧାର କରି ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲେ। ଲଳିତ ଓ ଗଜାନନ ଏସବୁ ସାମଗ୍ରୀ ଚୋରି କରି ଉତ୍ତମକୁ ବିକ୍ରି କରିଥିବା ପୁଲିସକୁ କହିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ଚୋରି ସାମଗ୍ରୀର ତାଲିକା ପ୍ରସ୍ତୁତ କରି ପୁଲିସ ଅଧିକ ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର