ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳ ଗାୟଗଣ୍ଡା ସେକ୍ସନ୍ ଆମ୍ବଝରା ଜଙ୍ଗଲ (କମ୍ପାର୍ଟମେଣ୍ଟ୍ ନମ୍ବର ୧୪ ସଂରକ୍ଷିତ ଜଙ୍ଗଲ) ଭିତରେ ବନ ବିଭାଗ କର୍ମଚାରୀମାନେ ଆଜି ହାତୀପଲକୁ ଟ୍ରାକିଂ କରୁଥିଲେ। ଏହି ସମୟରେ ହାତୀପଲ ସହ ମୁହାଁମୁହିଁ ହୋଇ ଯାଇଥିଲା। ଜୀବନ ରକ୍ଷା କରିବାକୁ ଯାଇ ବନପାଳ କୈଳାସ ନାୟକ, ବନରକ୍ଷୀ କିଷାନ କୁମାର ମଲ୍ଲିକଙ୍କ ସମେତ ୩ ଜଣ ପ୍ରାଣବିକଳରେ ପଡ଼ିଉଠି ଦୌଡ଼ି ଆହତ ହୋଇଛନ୍ତି।

Advertisment

ସୂଚନାନୁସାରେ, ଘୋଗଡ଼ ଜଙ୍ଗଲରୁ ଏକ ହାତୀପଲ ଗାୟାଗଣ୍ଡା ସେକ୍ସନ୍‌କୁ ଆସିଥିବାରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଥିଲା। ଆଜି ମଧ୍ୟାହ୍ନରେ ବନପାଳ କୈଳାସ ନାୟକଙ୍କ ନେତୃତ୍ବରେ କର୍ମଚାରୀମାନେ ଆମ୍ବଝରା ଜଙ୍ଗଲରେ ଟ୍ରାକିଂ କରୁଥିବା ବେଳ‌େ କଦଳୀଗଡ଼ ଗ୍ରାମରୁ କିଛି ଦୂର ଜଙ୍ଗଲ ଭିତରେ ହାତୀ ମଳ ପଡ଼ିଥିବା ଦେଖିଥିଲେ। ଏହାପରେ ସେମାନେ ହାତୀଙ୍କୁ ଟ୍ରାକ୍‌ କରି ଲାଗି ଜଙ୍ଗଲ ଭିତରକୁ ବଢ଼ିଥିଲେ। ଗୋଟିଏ ବୁଦା ନିକଟରେ ଥିବା ୭ଟିକିଆ ହାତୀପଲ ଉପରେ ନଜର ରଖିଥିବା ବେଳେ ହଠାତ୍ ସେଥିରୁ ‌ଗୋଟିଏ ମାଈହାତୀ କର୍ମଚାରୀଙ୍କ ପୂରା ନିକଟକୁ ମାଡ଼ି ଆସିଥିଲା। ଫଳରେ ପ୍ରାଣବିକଳ ‌ଭୟରେ ସମସ୍ତେ ଯିଏ ଯୁଆଡ଼େ ଦୌଡ଼ିବା ଆରମ୍ଭ କରିଥିଲେ। ବନପାଳ କୈଳାସ କିଛି ଦୂର ଦୌଡ଼ି ତଳେ ପଡ଼ି ଯାଇଥିବା ବେଳେ ବନରକ୍ଷୀ କିଷାନଙ୍କ ଶରୀରକୁ ହାତୀ ଘଷି ହୋଇ ପଳାଇଥିଲା। ସେହିପରି ସ୍କ୍ବାଡ଼୍ କର୍ମଚାରୀ ସନାତନ ଓଦଣ୍ଡ୍ରା ମଧ୍ୟ ଆହତ ହୋଇଥିଲେ। କିଷାନଙ୍କ ଛାତିରେ ଆଘାତ ଲାଗିଥିବା ବେଳେ କୈଳାସଙ୍କ ଗୋଡ଼ ଫୁଲିଯାଇଛି। ତେବ‌େ ଅନ୍ୟମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଭଞ୍ଜନଗର ଡାକ୍ତରଖାନାରେ ସମସ୍ତଙ୍କୁ ଚିକିତ୍ସା କରାଯାଇଥିଲା।

ପଲରେ କିଛି ଛୁଆହାତୀ ରହିଥିବା ବେଳେ ସେମାନଙ୍କୁ କାଳେ କ୍ଷତି ପହଞ୍ଚିବା ଆଶଙ୍କାରେ ମାଈହାତୀଟି ଉଗ୍ର ହୋଇ ଉଠିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଧାନ ଅମଳ ସରିଥିଲେ ମଧ୍ୟ ଉତ୍ତର ଘୁମୁସର ବନଖଣ୍ଡ ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଇଲାକାରେ ହାତୀପଲଙ୍କ ଦୌରାତ୍ମ୍ୟ ଜାରି ରହିଛି। ଗତ ୭ ମାସ ଭିତରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏବଂ ୫ଟି ହାତୀ ମରିବା ଘଟଣା ଉତ୍ତର ଘୁମୁସର ବନଖଣ୍ଡକୁ ଚର୍ଚ୍ଚାରେ ରଖିଆସିଛି।
ସୂଚନା ଥାଉକି, ଏହାପୂର୍ବରୁ ଗତବର୍ଷ ଅଗଷ୍ଟ ୨୮ ତାରିଖ ରାତିରେ ତାରସିଂ ବନାଞ୍ଚଳର ଘୋଗଡ଼ ସଂରକ୍ଷିତ ଜଙ୍ଗଲ ଭିତରେ ବୁଲୁଥିବା ଏକ ଅସୁସ୍ଥ ଦନ୍ତାକୁ ଖୋଜିବାକୁ ଯାଇ ବନ କର୍ମଚାରୀ ହାତୀପଲ ହାବୁଡ଼ରେ ପଡ଼ିଥିଲେ। ଏକ ଦନ୍ତା ଗୋଡ଼ାଇବାରୁ ଭୟରେ ଦୌଡ଼ି ନପାରି ତଳେ ପଡ଼ି ଯାଇଥିବା ବନପାଳ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ବୁଟ୍‌କୁ‌ ହାତୀ ସମ୍ମୁଖକୁ ଫୋପାଡ଼ି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।