ମାଡମାରି ବାଇକ ଓ ଟଙ୍କା ଲୁଟ ମାମଲା, ୩ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅନ୍ତର୍ଗତ ଢ଼େପଗୁଡା ଠାରେ ଯୁବକଙ୍କୁ ମାଡ ମାରି ବାଇକ ଓ ଟଙ୍କା ଲୁଟ ମାମଲାରେ ଟାଉନ ପୁଲିସ ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନ‌େ ହେଲେ ଢ଼େପଗୁଡାର ଦିପକ ମହାନନ୍ଦିଆ (୨୨), ବିକାଶ ସାବତ (୩୦) ଓ ପ୍ରଥମ ବାଗ (୨୧)। ସେମାନଙ୍କ ଠାରୁ ଲୁଟ ସାମଗ୍ରୀ ଜବତ ହୋଇଥିବା ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି।

ସୂଚନା ଅନୁଯାୟୀ, ପାଡୁଆ ଥାନା ଅନ୍ତର୍ଗତ କୁଲାବିର ଗ୍ରାମର ନରସିଂହ ଖୀଲ (୨୭) ଗାଁରେ ସାଇକେଲ ଦୋକାନ କରିଛନ୍ତି। ସେ ଦ‌ୋକନ ସାମଗ୍ରୀ କିଣିବା ପାଇଁ ଗତ ୮ ତାରିଖରେ ଜୟପୁରକୁ ଆସିଥିଲେ। ଜିନିଷ କିଣିବା ପରେ ସନ୍ଧ୍ୟା ବେଳେ ସାଙ୍ଗ କିରଣକୁ ଛାଡିବା ପାଇଁ ନରସିଂହ ଢ଼େପଗୁଡାକୁ ଯାଇଥିଲେ। ସେଠାରୁ ଫେରିବା ବେଳକୁ ଢ଼େପଗୁଡା ରାସ୍ତାରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମାଡମାରି ବାଇକ, ମୋବାଇଲ, ଟଙ୍କା ଓ ବିଭିନ୍ନ କାର୍ଡ ଲୁଟ କରି ଚମ୍ପଟ ମାରିଥିଲେ। ଏନେଇ ନରସିଂହ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏହାକୁ ଭିତ୍ତିକରି ପୁଲିସ କେଶ୍ ନଂ ୧୬୬/୨୨ ମାମଲା ରୁଜୁ କରି ଏସ୍‌ଆଇ ସିଦ୍ଧାନ୍ତ ବେହେରା ତଦନ୍ତ କରୁଥି‌ଲେ। ଏହି ମାମଲାରେ ୩ ଜଣ ଅଭିୁଯୁକ୍ତ ଦିପକ, ବିକାଶ ଓ ପ୍ରଥମକୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ବାଇକ (ଓଡି ୧୦ କ୍ୟୁ ୧୩୧୦), ଗୋଟିଏ ମୋବାଇଲ, ୫ ହଜାର ଟଙ୍କା, ଏଟିମ୍ କାର୍ଡ, ଆଧାର କାର୍ଡ ଓ ଗାଡିର କାଗଜପତ୍ର ଜବତ କରଛି। ୩ ଜଣ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର