ବଢୁଛି ଧଳାଜହର କାରବାର: ୫୩ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଆଜି ଦୁଇଟି ପୃଥକ ଘଟଣାରେ ଖୋର୍ଦ୍ଧା ଅବକାରୀ ବିଭାଗ ଓ ଖୋର୍ଦ୍ଧା ସଦର ଥାନା ପକ୍ଷରୁ ୫୩ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ ବରୁଣେଇ ପାହାଡ଼ ନିକଟରେ ଚଢ଼ଉ କରି ଜଟଣୀ ରଥୀପୁରର ସେକ୍ ମୁମତାଜ (୨୨)କୁ ଧରିଥିଲେ । ମୁମତାଜ ନିକଟରୁ ୪୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଛି । ସେ ଏକ ପଲସର ମୋଟରସାଇକଲ (ଓଡି୩୩ କ୍ୟୁ ୨୮୫୪)ରେ ଏହି ବ୍ରାଉନ୍‌ସୁଗାର ବିକ୍ରି କରିବାକୁ ବରୁଣେଇ ଆସିଥିଲା । ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୪ଲକ୍ଷ ୨୧ହଜାର ଟଙ୍କା ହେବ । ଏନେଇ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଏନ୍‌ଡିପିଏସ୍‌ ଧାରାରେ ୨୨/୨୦୨୨-୨୩ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସେହିଭଳି ଗତକାଲି ରାତିରେ ଖୋର୍ଦ୍ଧା ସଦର ଥାନା ପୁଲିସ ପକ୍ଷରୁ ଦଧିମାଛଗାଡ଼ିଆ ଠାରେ ଚଢ଼ଉ କରାଯାଇ ପୁରୀ ଜିଲ୍ଲା ଡେଲାଙ୍ଗ ହରିରାଜପୁରର ରୋହିତ କୁମାର ବେହେରା (୩୨) ଓ ଦଧିମାଛଗାଡ଼ିର ବିଶ୍ୱାନାଥ ବେହେରା (୨୧)କୁ ଧରିଥିଲା । ସେମାନଙ୍କ ନିକଟରୁ ୧୧.୨୮ ଗ୍ରାମ ବ୍ରାଉନ୍‌ସୁଗାର ଓ ଏକ ମୋଟର ସାଇକଲ ଜବତ କରାଯାଇଛି । ସେମାନଙ୍କ ବିରୋଧରେ ୧୧୪/୨୦୨୨ରେ ଏକ ମାମଲା ରୁଜୁ କରାଯିବା ସହ ଆଜି ସକାଳେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର