ହିନ୍ଦୋଳ: ମଦ କଣ୍ଟେନର ଜବତ ହୋଇଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ହରିୟାଣାର ଚଟିଆ ଓଲିଆ ଗ୍ରାମର ବିଜେନ୍ଦ୍ର (୩୨), ଉଦୟସିଂହପୁରର ସତୀଶ ନନ୍ଦଲ (୬୨) ଓ ମୋଟଙ୍ଗା ଥାନା ଗୋଡ଼ିଡିହ ଗ୍ରାମର ଅଭିନାଶ ମହାରଣା (୩୨)।
ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ମହୀଧରପୁର ସୀମାନ୍ତରେ ଛିଡ଼ା ହୋଇଥିବା ଏକ କଣ୍ଟେନର ଉପରେ ଚଢ଼ଉ କରିଥିଲା। କଣ୍ଟେନରେ ପାଣି ଟାଙ୍କି ବୋଲି ଉଲ୍ଲେଖ ଲେଖା ଯାଇଛି। ଏହାକୁ ତଦନ୍ତ କରିବା ସମୟରେ ସେଥିରେ ମଦ ବୋଝେଇ ହୋଇଥିବା ଜଣାପଡିଥିଲା। ଡ୍ରାଇଭରକୁ ପଚାରିବାରେ ତାହା ଅନୁଗୁଳ ଯାଉଥିବା କହିଥିଲେ।
ତେବେ ତାହା ଅରୁଣାଚଳପ୍ରଦେଶରେ କେବଳ ବିକ୍ରୟ ପାଇଁ ଲେଖାଯାଇଥିଲା।ଅବକାରୀ ବିଭାଗ ଦ୍ବାରା ମଦ ଗାଡିକୁ ଜବତ କରିବା ସହ ହରିୟାଣାର ଚଟିଆ ଓଲିଆ ଗ୍ରାମର ବିଜେନ୍ଦ୍ର, ଉଦୟସିଂହପୁରର ସତୀଶ ନନ୍ଦଲ ଓ ମୋଟଙ୍ଗା ଥାନା ଗୋଡ଼ିଡିହ ଗ୍ରାମର ଅଭିନାଶ ମହାରଣାଙ୍କୁ ଗିରଫ କରାଯାଇଛି। ତେବେ ଗାଡିରେ କେତେ ପରିମାଣର ମଦ ବୋଝେଇ ହୋଇଛି ତାହା ଓହ୍ଲାଇଲା ପରେ ଜଣାପଡିବ। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଊର୍ଦ୍ଧ ପେଟି ମଦ ଓହ୍ଲାଯାଇସାରିଛି। ଏହି ତଦନ୍ତରେ ସମ୍ବଲପୁର, କଟକ ଓ ଅନଗୁଳ ଅବକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।