ପିଏଲ୍‌ଏଫ୍‌ଆଇ-ଯବାନ ଗୁଳି ବିନିମୟ: ଏରିଆ କମାଣ୍ଡର ସମେତ ୩ ନିହତ, ଏକେ-୪୭, ୩ ପିସ୍ତଲ, ବନ୍ଧୁକ ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ପ୍ରାୟ ୧୦୦ କି.ମି. ଦୂର ପୋଡାହାଟ ଜଙ୍ଗଲରେ ସିଆର୍‌ପିଏଫ୍‌ ଯବାନ -ପିଏଲ୍‌ଏଫ୍‌ଆଇଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ପିଏଲ୍‌ଏଫଆଇ ଏରିଆ କମାଣ୍ଡର ଚମ୍ପା ଓ ତା’ର ପତ୍ନୀ ସହ ମୋଦି ନାମକ ତିନି ପିଏଲ୍‌ଏଫ୍‌ଆଇ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି। ଆହତ ପିଏଲ୍‌ଏଫ୍‌ଆଇ ମନୋଜ ହେସା, ମସିହ ପୂର୍ତ୍ତିକୁ ଗିରଫ କରାଯାଇଛି।

ଘଟଣାସ୍ଥଳରୁ ଏକେ -୪୭, ୩ ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ, ଅଫୁଟା ଗୁଳି ସମେତ ଦାଦା ବଟି ଆଦାୟ କରୁଥିବା ଡାଏରି ଜବତ ହୋଇଛି। ଘଟଣାରେ ସ୍ଥାନୀୟ ଜଙ୍ଗଲକୁ ଘେରାବନ୍ଦି କରି ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ଭୋର ପ୍ରାୟ ୫ଟାରେ ପୋଡାହାଟ ଜଙ୍ଗଲର ମନମାରୁ ଗାଁ ନିକଟରେ ଏରିଆ କମାଣ୍ଡର ଓ ତାଙ୍କ ପତ୍ନୀଙ୍କ ନେତୃତ୍ବରେ ୧୩ ପିଏଲ୍‌ଏଫ୍‌ଆଇ ବଡଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ସ୍ଥାନୀୟ ସିଆର୍‌ପିଏଫ୍‌ ଯବାନଙ୍କ ସୂଚନା ମିଳିଥିଲା।

ସୂଚନା ଆଧାରେ ସିଆର୍‌ପିଏଫ୍‌ ୬୦ ବଟାଲିୟନର ଏକ ଟିମ୍‌ ଜଙ୍ଗଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ସେଠାରୁ ଖସିଯିବାକୁ ସିଆର୍‌ପିଏଫ୍‌ ଯବାନଙ୍କ ଉପରୁ ଗୁଳି ଚାଳନା କରିଥିଲେ। ପାଲଟା ଯବାନରେ ସିଆର୍‌ପିଏଫ୍‌ ଯବାନ ଗୁଳି ଚଳାଇଥିଲେ। ଉଭୟ ପଟୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରେ ଏରିଆ କମାଣ୍ଡର ଚମ୍ପା ଓ ତାଙ୍କ ପତ୍ନୀଙ୍କ ସହ ତିନିଜଣ ଟଳି ପଡିଥିଲେ। ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ପରେ ଅନ୍ୟମାନେ ମାରଣାସ୍ତ୍ର, ଅନ୍ୟାନ୍ୟ ଜିନିଷ ଛାଡି ଜଙ୍ଗଲ ଭିତରକୁ ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର