ଜୟପୁର ଉପଖଣ୍ଡ କାରାଗାରରେ ୩ ଅନ୍ତେବାସୀ ସଂକ୍ରମିତ

ଜୟପୁର: କୋରାପୁଟ ଜିଲ୍ଲାରେ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜୟପୁର ଉପଖଣ୍ଡ କାରାଗାରର ୩ଜଣ ଅନ୍ତେବାସୀ ରହିଛନ୍ତି। ପୂର୍ବରୁ ଜଣେ ସଂକ୍ରମିତ ରହିଥିବା ବେଳେ ଏମାନଙ୍କୁ ମିଶାଇ ଏବେ ଜୟପୁର ଉପଖଣ୍ଡ କାରାଗା‌ରରେ ୪ଜଣ ଅନ୍ତେବାସୀ ସଂକ୍ରମିତ ହୋଇ ଆଇସୋଲେସନରେ‌ ରହିଛନ୍ତି ବୋଲି କହିଛନ୍ତି ଜୟପୁର ଉପଖଣ୍ଡ କାରାଗାରା ଅଧିକ୍ଷକ ଲଲିଟେନ୍ଦୁ ଭୁଷଣ ଦାଶ। ଏହା ପରଠାରୁ ଆସନ୍ତା ଏପ୍ରିଲ ୧୦ତାରିଖ ପର୍ଯ୍ୟନ୍ତ ମୁଲାକାତ‌କୁ ବନ୍ଦ କରାଯାଇଛି। ଜରୁରୀକାଳୀନ ସ୍ଥିତିରେ ପରିବାରବର୍ଗଙ୍କ ସହ ଅନ୍ତେବାସୀ ମାନେ ଭିଡ଼ିଓ କନଫେରନସିଂରେ କଥାବାର୍ତ୍ତା ହୋଇପାରିବେ। ଜଣେ ବିଚାରଧୀନ ଅନ୍ତେବାସୀ ପ୍ରଥମେ ଆଣ୍ଟିଜେନ୍ କିଟରେ ପରୀକ୍ଷା କରିଥିଲେ।

ଏଥିରେ ତାଙ୍କର ନେଗେଟିଭ୍ ଆସିଥିଲା। କିନ୍ତୁ ପରେ ସେ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରୁ କାରାଗାର ମଧ୍ୟରେ ଦୁଇଟି ଅଲଗା ସଂଗରୋଧ କେନ୍ଦ୍ର କରାଯାଇଛି। ଗୋଟିଏ କେନ୍ଦ୍ରରେ ଉକ୍ତ ସଂକ୍ରମିତ ରହିବା ପରେ ଅନ୍ୟ ୧୦ଜଣଙ୍କର ଆର୍ଟି‌ପିସିଆର ପରୀକ୍ଷା କରାଯାଇଥିଲା ଏବଂ ଏମାନଙ୍କ ମଧ୍ୟରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪ଜଣ ସଂକ୍ରମିତଙ୍କୁ ଅଲଗାରେ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି। ସେଭଳି ୨୨ଜଣ ଅନ୍ତେବାସୀ ୨ଟି ସଂଗରୋଧ କେନ୍ଦ୍ରରେ ରହିଛନ୍ତି। ଉପଖଣ୍ଡ ଜେଲରେ ୨୮୨ଜଣ ଅନ୍ତେବାସୀ କଏଦୀ ରହିବା ସ୍ଥାନରେ ଆଜି ୪୩୦ଜଣ ରହିଥିବା କହିଛନ୍ତି ଜେଲ ଅଧିକ୍ଷକ। ଅନ୍ୟ ପକ୍ଷରେ ଆଗାମୀ ଦିନରେ ଅଧିକା ବ୍ୟାପିବ କି ବୋଲି ଭୟ ମଧ୍ୟରେ ରହିଛନ୍ତି ଅନ୍ତେବାସୀ।

ସମ୍ବନ୍ଧିତ ଖବର