ଅପରାଧୀଙ୍କ କବଜାରେ ଟଙ୍କପାଣି ବ୍ରିଜ, ଅପରାଧୀଙ୍କୁ ସୁହାଉଛି ସୀମା ବିବାଦ, ସପ୍ତାହକ ମଧ୍ୟରେ ୩ ଲୁଟ

ବାଲିଅନ୍ତା: କମିସନରେଟ ପୁଲିସ ଅଧୀନ ବାଲିଅନ୍ତା ଏବଂ ସହୀଦନଗର ଥାନା ସୀମାନ୍ତ ଟଙ୍କପାଣି ବ୍ରିଜ ଆଖପାଖ ସ୍ଥାନ ଏବେ ଅପରାଧିଙ୍କ କବଜ୍ଜାରେ ରହିଛି। ବ୍ରିଜର ଗୋଟିଏ ପାର୍ଶ୍ବ ବାଲିଅନ୍ତା ଥାନା ଏବଂ ଅନ୍ୟ ପାର୍ଶ୍ବ ସହୀଦନଗର ଥାନା ଅଧୀନରେ ରହିଥିବାରୁ ଏହି ଦୁଇ ଥାନା ମଧ୍ୟରେ ଏଯାଏ ସୀମା ବିବାଦ ତୁଟୁ ନାହିଁ। ତେଣୁ ଏଠାରେ ପୁଲିସର ପାଟ୍ରୋଲିଂ ହେଉନଥିବାରୁ ଅପରାଧିଙ୍କୁ ଏହି ଜାଗା ବେଶ ସୁହାଉଛି। ତେଣୁ ଏଠାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଜଣାପଡ଼ିଛି। ରାଜଧାନୀରେ ଅପରାଧୀ ମାନଙ୍କ ଉତ୍ପାତ ଠାରୁ ବଳି ପଡ଼ିଛି ଉପକଣ୍ଠ ଅଞ୍ଚଳରେ ଆତଙ୍କରାଜ। ଉପକଣ୍ଠ ଅଞ୍ଚଳରେ ଅନ୍ଧାର ଏବଂ ନିଛାଟିଆ ରାସ୍ତାର ସୁଯୋଗ ନେଇ ଲୁଟେରା ମାନେ ଘଟାଉଛନ୍ତି ବିଭିନ୍ନ ଅପରାଧ। ପେସାଦାର ଅପରାଧୀ ମାନେ ଏବେ ଉପକଣ୍ଠ ମୁହାଁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ତେଣୁ ଭୋର ସମୟରେ ଏବଂ ବିଳମ୍ବତ ରାତିରେ ଅପରାଧୀ ମାନେ ରାଜରାସ୍ତାରେ ଘୁରି ବୁଲିବା ସହ ବେପାରୀ ମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି। ଆଉ ତାଙ୍କ ପାଖରେ ଥିବା ଟଙ୍କା ପଇସା, ମୋବାଇଲ ଫୋନ ଓ ସୁନା ଗହଣା ସବୁ ଲୁଟି ନେଉଛନ୍ତି। ତେଣୁ ଏହି ସମୟରେ ଅପରାଧୀ ମାନେ ସକ୍ରିୟ ରହୁଥିବାରୁ ବେପାରୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଖବରକାଗଜ ବିତରକ, ଫୁଲ ବିକ୍ରେତା, ମାଛ ଓ ମାଂସ ବେପାରୀ ମାନେ ଲୁଟେରାଙ୍କ ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଭୁବନେଶ୍ବର ଯାତାୟତ କରିବାକୁ ପଡ଼ୁଥିବାରୁ ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ସ୍ଥାନୀୟ ପୁଲିସ ପାଟ୍ରୋଲିଂ ଠିକ୍‌ ଭାବରେ ହେଉ ନଥିବାରୁ ବ୍ୟବସାୟୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ସେହିପରି ସ୍ଥାନୀୟ ପୁଲିସ ଲୁଟେରାଙ୍କୁ ଧରିବା ବଦଳରେ ହାତବାନ୍ଧି ବସିଛି। ଜଣେ ବି ଲୁଟେରାକୁ ଏଯାଏ ପୁଲିସ ଗିରଫ କରିପାରି ନାହିଁ। ଲୁଟେରା ଭୟରେ କୌଣସି ବେପାରୀ ଭୋର ସମୟରେ କିମ୍ବା ରାତିରେ ଏକୁଟିଆ ଯିବାକୁ ସାହାସ କରୁନଥିବା ଜଣାପଡ଼ିଛି।

ତେଣୁ ବ୍ରିଜ ନିକଟରେ ଜଣେ ଅନ୍ୟ ଜଣଙ୍କୁ ଅପେକ୍ଷା କରୁଛନ୍ତି, ଏବଂ ଏକାଠି ମିଶି ଯାଉଛନ୍ତି। ସୂଚନା ଅନୁସାରେ, ଗତକାଲି ଦୁର୍ବୃତ୍ତମାନେ ଗତ ୨୮ ତାରିଖ ରାତି ୩ଟା ସମୟରେ ବାଲିପାଟଣା ଥାନା ଅଧୀନ ସାହେବନଗର ଗ୍ରାମର ଅହମ୍ମଦ ଖାନ ନାମକ ଜଣେ ମାଂସ ବେପାରୀଙ୍କୁ ୬ଜଣ ଦୁର୍ବୃତ୍ତ ଟଙ୍କପାଣି ବ୍ରିଜ ଉପରେ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କ ନିକଟରୁ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଗତ ୪ଦିନ ତଳେ ଜଣେ ଫୁଲ ବେପାରୀଙ୍କୁ ହାଣି ତାଙ୍କ ନିକଟରୁ ୬୦୦୦ ଟଙ୍କା ଛଡ଼ାଇ ନେଇଥିଲେ। ଅନୁରୂପ ଭାବେ ଭିଙ୍ଗାରପୁର ଗ୍ରାମର ଖବରକାଗଜ ବିତରକ ଅଶୋକ ପଣ୍ଡା ମଧ୍ୟ ଲୁଟର ଶିକାର ହୋଇଥିଲେ। ଲୁଟେରା ମାନେ ତାଙ୍କୁ ଟଙ୍କପାଣି ରୋଡ଼ରେ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର