ସୋର/ବାହାନଗା : ରେଳ ଦୁର୍ଘଟଣା ସମୟରେ ଚର୍ଚ୍ଚାକୁ ଆସିଛି ବାହାନଗା ହାଇସ୍କୁଲ୍। ଆଜି ସ୍କୁଲ୍ର ଅବ୍ୟବସ୍ଥା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଶୁଣିବା ସମୟରେ ସାଇକଲ୍ ଚୋରି ଆଲୋଚନା ପରିସରକୁ ଆସିଥିଲା। ସଚିବଙ୍କ ନିର୍ଦ୍ଦେଶକ୍ରମେ ଚୋରି ଯୋଗୁ ସାଇକେଲ ହରାଇଥିବା ୩ ଛାତ୍ରଛାତ୍ରୀଙ୍କୁ ନୂଆ ସାଇକେଲ୍ ଦିଆଯାଇଛି।
ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ, ସ୍କୁଲ୍ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ତି, ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ସହ ବାହାନଗା ହାଇସ୍କୁଲ୍ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପଞ୍ଚାୟତ ପ୍ରତିନିଧି ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହିସମୟରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଅଭିଭାବକଙ୍କୁ ସ୍କୁଲ୍ର ସୁବିଧା ଅସୁବିଧା କଥା ପଚାରିଥିଲେ। ଅଭିଭାବକ ତଥା ସ୍କୁଲ୍ ପରିଚାଳନାର କମିଟି ସଦସ୍ୟ ରାଜାରାମ ମହାମାତ୍ର ସ୍କୁଲ୍ରେ ଏକ ଷ୍ଟାଣ୍ଡ ନଥିବାରୁ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ସାଇକେଲ୍ ଚୋରି ହେଉଛି।
ନିକଟରେ ନବମ ଶ୍ରେଣୀର ଆନନ୍ଦ ମହାନ୍ତି, ସପ୍ତମ ଶ୍ରେଣୀର ବିଜୟଲକ୍ଷ୍ମୀ ରାଜ ଏବଂ ଅଷ୍ଟମ ଶ୍ରେଣୀର ବର୍ଷାରାଣୀ ମଲ୍ଲିକଙ୍କ ସାଇକେଲ୍ ଚୋରି ହୋଇଯାଇଥିବା କହିଥିଲେ। ଯାହାକୁ ସଚିବ ଶ୍ରୀ ପାଣ୍ଡିଆନ ଗୁରୁତର ସହ ନେଇଥିଲେ ଏବଂ ଜିଲ୍ଲାପାଳ ଶ୍ରୀ ସିନ୍ଦେଙ୍କୁ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ମାଗଣାରେ ନୂଆ ସାଇକେଲ୍ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ, ଜିଲ୍ଲାପାଳ ଶ୍ରୀ ସିନ୍ଦେଙ୍କ ତତ୍ତ୍ବାବଧାନରେ ବାଲେଶ୍ବର ଡିଇଓ ବିଷ୍ଣୁଚରଣ ସୂତାର ଆଜି ଅପରାହ୍ନରେ ବାହାନଗା ହାଇସ୍କୁଲ୍କୁ ଯାଇ ଆନନ୍ଦ, ବିଜୟଲକ୍ଷ୍ମୀ ଓ ବର୍ଷାରାଣୀଙ୍କୁ ଗୋଟିଏ ଲେଖାଏଁ ନୂଆ ସାଇକେଲ୍ ପ୍ରଦାନ କରିଥିବା ଜଣାପଡ଼ିଛି।