ଦେବଗଡ଼: ୯ ତାରିଖ ଦିନ ଅନୁଷ୍ଠିତ ଓଟିଇଟି ପରୀକ୍ଷା ଦେବଗଡ଼ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା। ତେବେ ପୌରାଞ୍ଚଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହେବା ସହ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ଠାରୁ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍ପି କରାଯାଇଥିଲା। ଏହି ଘଟଣାରେ ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ପରୀକ୍ଷା ପରିଚାଳନାରେ ଅବହେଳା ଯୋଗୁଁ ୩ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି।
ପରୀକ୍ଷା ଦିନ ପ୍ରଥମ ସିଟିଂ ପେପର-୧ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ନପୂରୁଣୁ ପ୍ରଶ୍ନପତ୍ର ଏବଂ ଉତ୍ତର ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷରେ ସାଢ଼େ ୮ଟା ସମୟରେ ଉକ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଏବଂ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ୍ ରାଉଣ୍ଡ ଚେକିଂ କରିବା ସମୟରେ ଜଣେ ପରୀକ୍ଷାର୍ଥୀଙ୍କ ନିକଟରୁ ପ୍ରଶ୍ନପତ୍ରର ଚିତ୍ର ଉତ୍ତୋଳନ ହୋଇଥିବା ଏକ ମୋବାଇଲ ଫୋନ୍ ବିଦ୍ୟାଳୟ କର୍ତୃପକ୍ଷଙ୍କ ଦ୍ୱାରା ଜବତ କରାଯାଇଥିଲା। ଘଟଣା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ୍ ଦାୟିତ୍ବରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମୁଦବନ୍ଧୁ ପୃଷ୍ଟିଙ୍କୁ ପରିବର୍ତ୍ତନ କରାଯାଇ ସୁଗୁଡା ହାଇସ୍କୁଲର ପ୍ରଧାନଶିକ୍ଷକ ରାମେଶ୍ବର ନାୟକଙ୍କୁ ସୁପରିନଟେଣ୍ଡେଣ୍ଟ ଦାୟିତ୍ବ ଦିଆଯାଇଥିଲା।
ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ତଦନ୍ତ ସମୟରେ ପରୀକ୍ଷା ପରିଚାଳନାରେ ଅବହେଳା ହୋଇଥିବା ଜଣାପଡ଼ିବା ପରେ ଶିକ୍ଷକ ସୁଶାନ୍ତ ରାୟ, ବିଶ୍ବନାଥ କିଷାନ ଓ ରଂଜିତା ମିଶ୍ରଙ୍କୁ ନିଲମ୍ବିନ କରାଯାଇଛି। ନିଲମ୍ବିତ ହୋଇଥିବା ଶିକ୍ଷକ ଶ୍ରୀ କିଷାନ ମୋବାଇଲ୍ ଫୋନ୍ ଜବତ ହୋଇଥିବା କକ୍ଷରେ ପରୀକ୍ଷା ପରିଚାଳନା କରୁଥିଲେ। ଅନ୍ୟ ଦୁଇ ଶିକ୍ଷକ ସ୍କୁଲ୍ ଫାଟକରେ ଯାଞ୍ଚ ଦାୟିତ୍ବରେ ଥିଲେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/c43a2a31-04cb-4591-a8d1-865d3db16115-1-750x430-1.jpg)