ଗୁଣପୁର: ସୁନା ଗହଣା ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ଉ କରିଥିଲା ପୁଲିସ। କିନ୍ତୁ ଗିରଫ ଭୟରେ ମୁଖ୍ୟ ଅଭିଯୁକ୍ତ ଶୌଚାଳୟ ଭିତରେ ପଶି ଫିନାଇଲ ପିଇ ଦେଇଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଚିକିତ୍ସା କରାଇବା ପରେ ଗିରଫ କରିଛି। ଏଥିସହ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତର ବାପା ଓ ବଡ଼ ଭାଇକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ୪୦ ତୋଳା ସୁନା ଗହଣା ସହିତ ନଗଦ ୧୭୦୦ ଟଙ୍କା ଜବତ କରିଥିବା ରାୟଗଡ଼ା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଳିତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି, ଗୁଣପୁର ଉପକଣ୍ଠ ଆଚବା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ପତ୍ନୀ ସଂଘମିତ୍ରା ସାହୁଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ ବୁଧବାର ଦିନ ଚିକିତ୍ସା ପାଇଁ ବ୍ରହ୍ମପୁର ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତ ଘରର ୩ଟି କବାଟ ତାଡ଼ିବା ପରେ ଆଲମିରା ଭାଙ୍ଗି ସମସ୍ତ ସୁନା ଓ ରୁପା ଅଳଙ୍କାର ଚୋରି କରିଥିଲେ। ଏନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ ୨୨ତାରିଖ ସକାଳେ ଶ୍ରୀ ସାହୁ ଘରେ ପହଞ୍ଚିବା ବେଳକୁ ଘରରୁ ୪୦ ତୋଳା ସୁନା ଏବଂ ରୁପା ଗହଣା ଚୋରି ହୋଇଥିବା ଦେଖି ଗୁଣପୁର ଥାନାରେ ଏତଲା ଦେଇଥିଲେ। ସୁନା ହାର, ମଥାମଣି, ଚେନ୍, ମଙ୍ଗଳସୁତ୍ର, ଲକେଟ, ମୁଦି, କାନଫୁଲ ଏଭଳି ୪୦ ତୋଳାରୁ ଊର୍ଦ୍ଧ୍ବ ସୁନା ଗହଣା ଏବଂ ରୁପା ସାମଗ୍ରୀ ସହିତ ନଗଦ ୫ହଜାର ଟଙ୍କା ଚୋରି ହୋଇଥିବା ନେଇ ଶ୍ରୀ ସାହୁ ଏତଲାରେ ଉଲ୍ଲେଖ କରିଥିଲେ। ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଦ୍ବାରା ଘଟଣାର ଛାନ୍ଭିନ କରିଥିଲା।
ଏହି ମାମଲାରେ ପୁଲିସ ଆଚବାର ଗ୍ରାମର ଶ୍ୟାମ ବାଉରୀଙ୍କ ସାନ ପୁଅ ସହଦେବ ବାଉରୀଙ୍କୁ ସନ୍ଦେହରେ ଥାନାକୁ ନେଇ ପଚରାଉଚରା କରିଥିଲା। ମାରାଥନ୍ ଜେରା ପରେ ଏହି ଚୋରି ଘଟଣାରେ ବାପା ଶ୍ୟାମ, ବଡ଼ ଭାଇ ନାରାୟଣ ଓ ସେ ନିଜେ ସଂପୃକ୍ତ ଥିବା ସ୍ବୀକାର କରିଥିଲା। ଏଥିସହ ଚୋରି ସୁନା ଗହଣା ଘର ବାରିପଟେ ଏବଂ ତକିଆ ଖୋଳରେ ରଖିଥିବା ନେଇ ସହଦେବ ପୁଲିସକୁ କହିଥିଲା। ଏହାପରେ ପୁଲିସ ଚୋରି ସୁନା ଗହଣା ଜବତ କରିବା ସହିତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଶ୍ୟାମଙ୍କ ଘରେ ଚଢ଼ଉ କରିଥିଲା। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ସହଦେବ ଘର ଭିତରେ ଥିବା ଶୌଚାଳୟରେ ପଶି ଫିନାଇଲ ପିଇ ଦେଇଥିଲା। ପରେ ପୁଲିସ ସହଦେବକୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଇବା ପରେ ଥାନାକୁ ନେଇଥିଲା। ସହଦେବ ବିରୋଧରେ ଅନ୍ୟ ଏକ ମାମଲା ରୁଜୁ ହୋଇଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଳିତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ମାମଲାରେ ପୁଲିସ ସହଦେବଙ୍କ ସହିତ ତାଙ୍କ ବାପା ଶ୍ୟାମ ଓ ବଡ଼ ଭାଇ ନାରାୟଣକୁ ଗିରଫ କରିବା ସହିତ ଚୋରି ହୋଇଥିବା ସମସ୍ତ ସୁନା ଗହଣା ଏବଂ ନଗଦ ୧୭୦୦ ଟଙ୍କା ଜବତ କରିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ସୁନାଗହଣା କୃଷ୍ଣ ଚନ୍ଦ୍ର ସାହୁଙ୍କୁ ହସ୍ତାନ୍ତର କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ମାତ୍ର ୩ଦିନ ମଧ୍ୟରେ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ଥିବାରୁ ଶ୍ରୀ ସାହୁ ପୁଲିସକୁ ପ୍ରଶଂସା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧକ୍ଷକ ଲଳିତ ପଟ୍ଟନାୟକଙ୍କ ସହିତ ଗୁଣପୁର ଏସ୍ଡିପିଓ ଅଜୟ କୁମାର ବାରିକ, ପଦ୍ମପୁର ଡିଏସ୍ପି ସୁଶାନ୍ତ କୁମାର ତାଉଡ଼ିଆ, ଗୁଣପୁର ଥାନା ଅଧିକାରୀ ଆଶ୍ରିତା ଖାଲକୋ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5ff88137-7bc5-4e12-b4e9-3801f3babf09.jpg)