୧୨୯ ବାତ୍ୟା ଆଶ୍ରୟ କେନ୍ଦ୍ରରେ ୩ ହଜାର ଆଶ୍ରିତ; ହସ୍ପିଟାଲରେ ୧୨ ଗର୍ଭବତୀ ମହିଳା

ଆଳି: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଳି ବ୍ଲକର ୩୪ ପଞ୍ଚାୟତ ସମେତ ନଦୀତଟବର୍ତ୍ତୀ ଗ୍ରାମମାନଙ୍କରେ ଆତଙ୍କିତ ଅବସ୍ଥା ଲାଗିରହିଛି। ଗତକାଲି ଠାରୁ ଅନବରତ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳୁ ତୁହାକୁତୁହା ପବନ ଲାଗିରହିଛି। ଅପରପକ୍ଷରେ ବାତ୍ୟା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ନେଇ ବ୍ଲକର ୩୪ ଗ୍ରାମପଞ୍ଚାୟତର ବିଭିନ୍ନ ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ୩ ହଜାର ଆଶ୍ରିତଙ୍କୁ ଥଇଥାନ କରିଛି। ବ୍ଲକର ବିଭିନ୍ନ ସ୍ଥାନରୁ ୧୨ ଆସନ୍ନ ପ୍ରସବା ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇ ଆଳି ସଦରମହକୁମା ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ବେଳେ ଆଜି ପୂର୍ବାହ୍ନରେ ୨ ଶିଶୁ ଜନ୍ମ ନେଇଛନ୍ତି। ନଦୀଘେରରେ ରହିଥିବା ଏକମାଣିଆ ଓ ପଦନୀପାଳ ପଞ୍ଚାୟତରେ ସର୍ବାଧିକ ଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି।

ପଦନୀପାଳରେ ୮୦୫, ଏକମାଣିଆରେ ୩୦୨, ନଦୀକୂଳବର୍ତ୍ତୀ ମାଣିକପାଟଣାରେ ୬୦, ଗୋବିନ୍ଦପୁରରେ ୩୦, ଏରଡଙ୍ଗ ୧୮୦, ଜୁଆଣିଆ ୨୫୦, ଦଶିପୁର ୬୦, ଡିମିରିପାଳ୪୦, ଟୁଙ୍ଗା ୭୦, ଦେମାଳ ୨୦୨, ନିଆଳ ୧୮୦, ମେଣ୍ଢପୁର ୬୦, ବାଳକାଟି ୨୦୦, ଚଣ୍ଡିଆଗଡି ୧୬୦, ସିଙ୍ଗିରି ୧୦୨, ସହିରା ୧୮୦ ଓ ପାଳିମୀରେ ୨୨୦ ପରିବାର ଆଶ୍ରୟ ନେଇଛନ୍ତି। ଆଜି ୧୨ ଟି ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଦିଆଯାଇଥିବା ବେଳେ ଅନ୍ୟ ଆଶ୍ରୟସ୍ଥଳୀ ଗୁଡିକରେ ଚୁଡା, ଗୁଡ ଆଦି ଶୁଖିଲା ଖାଦ୍ୟ ଦିଆଯାଇଛି। ପଞ୍ଚାୟତର ସରପଞ୍ଚ ମାନେ ଥଇଥାନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। କ୍ରମଶଃ ବର୍ଷା ସହିତ ପବନର ବେଗ ବଢୁଥିବାରୁ ଆତଙ୍କିତ ଲୋକେ ବେଡିଂବିସ୍ତରା ବାନ୍ଧି ପିଲାଛୁଆ ଧରି ଆଶ୍ରୟସ୍ଥଳ ମୁହାଁ ହେବାରେ ଲାଗିଛନ୍ତି।ରାତି ସୁଦ୍ଧା ଆଶ୍ରୟସ୍ଥଳୀ ମାନଙ୍କରେ ଆହୁରି ଆଶ୍ରିତଙ୍କ ସଂଖ୍ୟା ବଢିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର