ଅଙ୍ଗନବାଡ଼ି କର୍ମୀ, ଶିକ୍ଷକଙ୍କ ସମେତ ୩ କରୋନା ପଜିଟିଭ, ଚିକିଟିର ୩ ଗାଁ ସିଲ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଇଲକାରେ ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ସମେତ ୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ବ୍ଲକ ତିନିଟି ପଞ୍ଚାୟତର ୩ଟି ଗାଁରୁ ଏହି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ଗିରସୋଲା, ବାଦପୁର ଓ ବଡବରଙ୍ଗା ଗାଁକୁ ସିଲ କରିବା ସହିତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।

ଚିକିଟ ବ୍ଲକ ଗିରିସୋଲା ପଞ୍ଚାୟତର ଗିରିସୋଲା ଗାଁର ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ପରେ ଉକ୍ତ ଗ୍ରାମକୁ ସିଲ କରାଯାଇଛି। ଏଥିସହିତ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି। ସେହିପରି କତୁରୁ ପଞ୍ଚାୟତ ବାଦପୁର ଗାଁ ଜଣେ ଲୋକ କରୋନା ପଜିଟିଭ ଚିହ୍ନଟ ପରେ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଇଛି।

କଳବାଡ଼ ପଞ୍ଚାୟତର ବଡବରଙ୍ଗା ଗାଁର ଜଣେ ଅଙ୍ଗନବାଡ଼ି କର୍ମୀ ପଜିଟିଭ ଚିହ୍ନଟ ପରେ ଉକ୍ତ ଗ୍ରାମକୁ ସିଲ କରାଯିବା ସହ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ଚିକିଟି ତହସିଲଦାର ହରପ୍ରସାଦ ଭୋଇ ସୂଚନା ଦେଇଛନ୍ତି। ଏହି ତିନି ଗ୍ରାମର ସମସ୍ତ ପ୍ରବେଶ ପଥ ସିଲ କରାଯାଇଛି। ଗାଁ ବାହାରକୁ ନ ଯିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ଏହି ୩ ଗ୍ରାମ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି। ଏଥିସହ କଣ୍ଟାକ୍ଟ ଟ୍ରେସିଂ ଓ ଗ୍ରାମବାସୀଙ୍କ  ସ୍ବାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।  ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଏହି ବ୍ଲକର ଲିଆଖାଇରେ ଗୋଟିଏ ପଜିଟିଭ ଚିହ୍ନଟ ପରେ ଉକ୍ତ ଗ୍ରାମକୁ ବି ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିଲା।

ସମ୍ବନ୍ଧିତ ଖବର