ଭଦ୍ରକ: ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଦୋଷୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି। ଘଟଣାରୁ ପ୍ରକାଶ ଯେ, ଗତ ତା ୩୯/୫/୨୦୧୭ ମସିହାରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଫତେପୁର ଗ୍ରାମର ହୃଷିକେଶ ସେଠୀ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ମେଡିକାଲ ଛକରେ ସକାଳ ସମୟରେ ଚା’ ପିଉଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ସୁରେନ୍ଦ୍ର ସେଠୀ ନାମକ ଜଣେ ଯୁବକ ଏକ ଲୁହା ରଡ଼ରେ ହୃଷିକେଶ ସେଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଆକ୍ରମଣରେ ହୃଷିକେଶ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଡାକ୍ତରଖାନା ପରେ ଭଦ୍ରକ ଓ ସେଠାରୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ଆହତ ହୃଷିକେଶଙ୍କ ଭାଇ ସନାତନ ସେଠୀ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଥିଲେ। ଯାହାର ପି. ଏସ. କେଶ ନମ୍ବର ୧୪୬/୨୦୧୭ ରେ ମାମଲା ରୁଜୁ କରାଯାଇଥିଲା।
ଏହି ଘଟଣାରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ସୁରେନ୍ଦ୍ରଙ୍କ ବିରୁଦ୍ଧରେ ଚାର୍ଜ ସିଟ୍ ଦାଖଲ କରିଥିଲେ। ଯାହାର ଏସ .ଟି . କେଶ ନମ୍ୱର୍ ୪୯/୧୭ ରେ କୋର୍ଟରେ ମାମଲା ବିଚାରାଧୀନ ଥିଲା। ଏହି ମାମଲାରେ ବିଚାର କରି ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରା ଜଜ୍ ଶ୍ରୀମତୀ ସଂଗୀତା ପାଣି ସମସ୍ତ ସାକ୍ଷୀ ପ୍ରମାଣ ମୂଳେ ବିଚାର କରି ଆସାମୀ ସୁରେନ୍ଦ୍ର ସେଠୀଙ୍କୁ ୩୦୭ / ଆଇପିସି ଦଫାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ , ୩ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୩ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଡ଼ିସିନାଲ ପବ୍ଲିକ ପ୍ରସ୍ୟୁକୁଟର ଜତିକାନ୍ତ ନାୟକ, ସହକାରୀ ଓକିଲ ତାହର ମହମ୍ମଦ, ପଙ୍କଜ ଦାସ ପ୍ରମୁଖ ମାମଲା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/two-judges.jpg)