ହତ୍ୟା ଉଦ୍ୟମ ମାମଲା: ଦୁଇ ଭାଇଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ, ୨ ହଜାର ଟଙ୍କା ଜରିମାନା

ଭଦ୍ରକ: ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିବା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ତିହିଡି ଥାନା ଅନ୍ତର୍ଗତ ବାମନ ବିନ୍ଧା ଗ୍ରାମର ଗୋବିନ୍ଦ ଦାସଙ୍କ ୨ ପୁତ୍ର ଝଡିଆ ଓରଫ ସହଦେବ ଦାସ ଓ ଦିବାକର ଦାସଙ୍କୁ ୩୦୭ ଦଫାରେ ଦୋଷି ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ପୁଣି ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ମାନ୍ୟବର କୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ ୨୦୦୦ ମସିହା ଜୁନ ମାସ ୧୪ ତାରିଖରେ ସେହି ଗ୍ରାମର ଜୀବନ ଦାସ ପିରାହାଟ ବଜାରକୁ ଆସି ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କର ପଡୋଶୀ ଦୁଇ ଭାଇ ଝଡିଆ ଓ ଦିବାକର ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ଦୁଇ ଭାଇଙ୍କୁ ଧରିବା ପାଇଁ ଗୋଡାଇ ଥିଲେ ବି ବଡ ଭାଇ ଝଡିଆ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା। ମାତ୍ର ସାନ ଭାଇ ଦିବାକରକୁ ଘଟଣାସ୍ଥଳରୁ କାବୁ କରି ପୁଲିସରେ ଜିମା ଦେଇଥିଲେ। ଗୁରୁତର ଜୀବନ ପ୍ରଥମେ ତିହିଡି ଓ ପରେ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର ହୋଇ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ।
ଜୀବନଙ୍କ ଅଭିଯୋଗ କ୍ରମେ ତିହିଡି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଜଣାପଡିଥିଲା ଯେ ଅଭିଯୁକ୍ତ ୨ ଭାଇ ପୁର୍ବରୁ ସେହି ଜମିବାଡି ମାମଲାକୁ ନେଇ ୨ ଥର ଜୀବନକୁ ଆକ୍ରମଣ କରିବା ସହ ତା ଘର ନିଆଁ ଲଗାଇ ଦେବା ଅଭିଯୋଗରେ ଜେଲରେ ଥିଲେ। ଚାର୍ଜସିଟ ଦାଖଲ ହେବା ପରେ ମାମଲାଟି ଭଦ୍ରକ ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ବିଚାର ହୋଇ ଆଜି ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ଭଦ୍ରକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।
ସମ୍ବନ୍ଧିତ ଖବର