ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ଥିବା ରାଜସ୍ୱ ବିଭାଗର କାର୍ଯ୍ୟାଳୟ ଓ ସରକାରୀ ବାସଗୃହ ନିର୍ମାଣ ଓ ମରାମତି ପାଇଁ ୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ରୁରାଲ୍ ୱାର୍କସ୍ ଡିଭିଜନ, ଭୁବନେଶ୍ୱର ନିକଟରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାର ୬୮ଟି ରାଜସ୍ୱ ନିରୀକ୍ଷକ, ତହସିଲ କାର୍ଯ୍ୟାଳୟ, କାର୍ଯ୍ୟାଳୟ ଷ୍ଟୋରରୁମ, କାର୍ଯ୍ୟାଳୟ ପରିସରରେ ଶୌଚାଳୟ, ଅତିଥି ଗୃହ ଓ ୩୪ଟି ରାଜସ୍ୱ ବିଭାଗର ସରକାରୀ ବାସଗୃହ ମରାମତି ଓ ନିର୍ମାଣ ପାଇଁ ଜିଲ୍ଲାପାଳ ଚଳିତ ମାସ ୧ ତାରିଖରେ ରୁରାଲ୍ ୱାର୍କସ୍ ବିଭାଗକୁ ଚିଠି ଲେଖିଥିଲେ। ଏଥିପାଇଁ ବିଭାଗ ପକ୍ଷରୁ ମୋଟ ୧୩ କୋଟି ୭୮ଲକ୍ଷ ୬୨ ହଜାର ଟଙ୍କା ମଞ୍ଜୁର ହୋଇଛି। ସରକାରୀ କାର୍ଯ୍ୟାଳୟ ପାଇଁ ୯ କୋଟି ୭ ଲକ୍ଷ ୧୨ ହଜାର ଟଙ୍କା ଓ ସରକାରୀ ବାସଗୃହ ମରାମତି ଓ ନିର୍ମାଣ ପାଇଁ ୪ କୋଟି ୭୧ ଲକ୍ଷ ୫୦ ହଜାର ଟଙ୍କା ମିଳିଛି।
ତହସିଲ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଅତିରିକ୍ତ ପ୍ରକୋଷ୍ଠ, ଅତିଥିଗୃହ, ଗୋଦାମ ଗୃହ ଆଦି ସରକାରୀ କାର୍ଯ୍ୟାଳୟ ନିର୍ମାଣ ଓ ମରାମତି ପାଇଁ ବେଗୁନିଆ ତହସିଲକୁ ୯୫ଲକ୍ଷ ଟଙ୍କା, ବୋଲଗଡ଼ ତହସିଲକୁ ୩୭ଲକ୍ଷ, ବାଣପୁର ତହସିଲକୁ ୭୬ଲକ୍ଷ, ଚିଲିକା ତହସିଲକୁ ୬୨.୧୨ଲକ୍ଷ, ଟାଙ୍ଗୀ ତହସିଲକୁ ୧୦୮ଲକ୍ଷ ଟଙ୍କା, ଭୁବନେଶ୍ୱର ତହସିଲକୁ ୧୯ଲକ୍ଷ ଟଙ୍କା, ବାଲିପାଟଣା ତହସିଲ ୧୦୬ଲକ୍ଷ, ଜଟଣୀ ତହସିଲ ନିମନ୍ତେ ୩ କୋଟି ୧୦ଲକ୍ଷ, ବାଲିଅନ୍ତା ତହସିଲ ନିମନ୍ତେ ୮୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାର ବାଣପୁର, ଟାଙ୍ଗୀ ଓ ଜଟଣୀ ତହସିଲର କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଅତିଥିଗୃହ ଆଦି ନିର୍ମାଣ ପାଇଁ ଅନେକ ଦିନରୁ ଦାବି ହେଉଥିଲା। ଏନେଇ ଜିଲ୍ଲାପରିଷଦ ଓ ବ୍ଲକ ଉନ୍ନୟନ ବୈଠକରେ ବିଧାୟକ ଓ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।