ଘୁ.ଉଦୟଗିରିରେ କାଳବୈଶାଖୀର ଉଗ୍ର ରୂପ, ପ୍ରବଳ ପବନ ସହ କୁଆପଥର ମାଡ଼

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରିରେ ଆଜି ସନ୍ଧ୍ୟାରେ କାଳବୈଶାଖୀର ଉଗ୍ର ରୂପ ଦେଖିବାକୁ ମିଳିଛି । ଏଥିରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ସନ୍ଧ୍ୟା ପ୍ରାୟ ୫ଟା ୪୦ରେ ପ୍ରଥମେ ପ୍ରବଳ ବେଗରେ ପବନ ବହିବା ଆରମ୍ଭ କରିଥିଲା । ପବନ ବହିବାର ଅଳ୍ପ ସମୟ ପରେ କୁଆପଥର ମାଡ଼ ସହ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିଲା । ଲକଡାଉନ ଯୋଗୁଁ ଯଦିଓ ଲୋକେ ଘର ଭିତରେ ଥିଲେ, ତଥାପି ଯେଉଁ ଲୋକେ ଜରୁରୀକାଳୀନ କାମ ପାଇଁ ବାହାରେ ଥିଲେ, ସେମାନେ ଜୀବନ ବିକଲରେ ଘର ଅଭିମୁଖେ ଦୌଡୁଥିବା ଦେଖିବାକୁ ମିଳିଥିଲା । ମାତ୍ର ୧୦ ମିନିଟ ମଧ୍ୟରେ ସହରର ରାସ୍ତାଘାଟ କୁଆପଥର ଯୋଗୁଁ ଧଳା ଦେଖାଯାଇଥିଲା । କୁଆପଥର ବର୍ଷା ହେବା ପରେ ଦିନର ଗରମ ଥଣ୍ଡା ପଡ଼ିଯାଇଥିଲା । ଲୋକଙ୍କୁ ଆଶ୍ୱସ୍ତି ମିଳିଯାଇଥିଲା । ପିଲାମାନେ ବର୍ଷାରେ ଭିଜି କୁଆପଥର ସଂଗ୍ରହ କରିଥିଲେ ।

ତେବେ ସହରର ଗାନ୍ଧି ଛକ ଠାରେ ଥିବା ମାନରଂଜନ କ୍ଲଥ ଷ୍ଟୋରର ଛାତ ଉଡ଼ିଯାଇଥିଲା । ଦୋକାନର ଛାତ ଟିଣରେ ପ୍ରସ୍ତୁତ ହୋଇଥିଲା । ଛାତ ଉଡ଼ିଯିବା ଫଳରେ ବର୍ଷା ଜଳ ଓ କୁଆପଥର ଦୋକାନକୁ ପଶିଥିଲା । ସହରର ଅନ୍ୟସ୍ଥାନଗୁଡ଼ିକରେ ମଧ୍ୟ ଚାଳ ଛପର ଉଡ଼ିଯାଇଥିଲା । ବିଶେଷ ଭାବେ ଏହି ଅଦିନିଆ ବର୍ଷା ଯୋଗୁଁ ଗରିବ, ଶ୍ରମିକ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଥିଲେ । ଗୋଟିଏ ପଟେ ଗରିବ ଲୋକଙ୍କ ପାଇଁ କରୋନା ଭାଇରସ ଦାଉ ସାଜିଥିବା ବେଳେ ଏବେ ଅଦିନିଆ ବର୍ଷା ଗରିବ ଲୋଙ୍କ ପାଇଁ ଦାଉ ସାଜିଛି ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର