ରାୟଗଡ଼ା: ରାୟଗଡ଼ାରେ ଆଜି ପୂର୍ବାହଣରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଦିନ ସାଢ଼େ ୧୧ଟାରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଚର୍ତୁଦିଗ ଅନ୍ଧାର କରି ଦେଇଥିଲା। ମେଘ ଉଠାଇବାର ୧୫ ମିନିଟ୍ ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା। ୨୫ ମିନିଟ୍ ଧରି ବର୍ଷା ହେବା ପରେ ପାଗ ପୁଣି ସ୍ବାଭାବିକ ହୋଇଥିଲା। ବର୍ଷା, ପବନ ପ୍ରଭାବରେ ଆଜି ଦିନ ତମାମ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା।
ସହରର ନିକଟସ୍ଥ ବାରିଝୋଲା ସମେତ କିଛି ସ୍ଥାନରେ ଗଛ ଭାଙ୍ଗି ପଡ଼ିବା ଯୋଗୁ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିଲା। ଫଳରେ ଅପରାହଣ୍ ୨ଟା ପରଠୁ ରାତି ୮ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇପାରିନଥିଲା। କିଛି ସ୍ଥାନରେ ଛିଣ୍ଡିଥିବା ବିଦ୍ୟୁତ୍ ତାରକୁ ବିଭାଗ ସଜାଡ଼ିଥିଲେ ମଧ୍ୟ ବିଦ୍ୟୁତ୍ ଷ୍ଟାଣ୍ଡ କରିନଥିଲା। ତ୍ରୁଟି ଖୋଜି ଅଚଳ ହୋଇଥିବା ଜମ୍ପରକୁ ଠାବ କରିବା ପରେ ରାତି ୮ଟା ପରେ କିଛି ଅଞ୍ଚଳକୁ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଛି। ରାତି ସୁଦ୍ଧା ଅନ୍ୟ ସମସ୍ତ ମରାମତି କାମ ସରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ରାୟଗଡ଼ା ସହରକୁ ଛାଡ଼ିଲେ ଗ୍ରାମାଞ୍ଚଳରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ବର୍ଷା ପରଠାରୁ ସହରରୁ ୧୨ କିମି ଦୂରରେ ଥିବା କୋଲନରାକୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇପାରିନି। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା କାରଣରୁ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଥିବା ଜଣା ପଡିଛି। ପାଣିପାଗ ବିଭାଗ ରେକର୍ଡ ଅନୁଯାୟୀ ଆଜି ରାୟଗଡ଼ା ସମେତ ମାଲକାନଗିରି, ନବରଙ୍ଗପୁର, କୋରାପୁଟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠୁ କମ୍ ତାପମାତ୍ରା ରହିବ। ୧୩ ତାରିଖରେ ଦକ୍ଷିଣ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୫ ସୁଦ୍ଧା ଲଘୁଚାପ ରୂପ ନେବ। ଯାହା ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/RGD_Kalabaisakhi.jpg)