ରାଉରକେଲାରେ ଘୁର୍ଣ୍ଣିଝଡ଼: ଚଳନ୍ତା କାର ଉପରେ ପଡ଼ିଲା ଗଛର ଗଣ୍ଡି, ଘରୋଇ କମ୍ପାନୀର ୨ ମ୍ୟାନେଜର ଗୁରୁତର

ରାଉରକେଲା: ପ୍ରବଳ ଝଡ଼ ତୋଫାନର ପ୍ରଭାବରେ ରବିବାର ଅପରାହ୍ଣରେ ଚଳନ୍ତା କାର ଉପରେ ଗଛର ଏକ ବିଶାଳ ଗଣ୍ଡି ପଡ଼ଯିବାରୁ ଘଟଣାସ୍ଥଳରେ ଏକ ଘରୋଇ କମ୍ପାନୀର ୨ ଜଣ ମ୍ୟାନେଜର ସମେତ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷସ୍ଥିତ ନିଜ କାର୍ଯ୍ୟାଳୟରେ ବୈଠକ ସାରି ‘ସାହାରା ଇଣ୍ଡିଆ ପରିବାର’ର ଆଂଚଳିକ ପରିଚାଳକ ବିନୋଦ କୁମାର ଝା, ସେକ୍ଟର ମ୍ୟାନେଜର ସନ୍ତୋଷ ପଣ୍ଡା ଓ ମାରୁତି ଚାଳକ ଅଜୟ ସିଂହ ରାଉରକେଲା ଅଭିମୁଖେ ବାହାରିଥିଲେ। ସେମାନେ ଏସ୍‌ଟିଆଇ ବ୍ରିଜ ଅତିକ୍ରମ କରବା ପରେ ପ୍ରବଳ ଘୁର୍ଣ୍ଣଝଡ଼, କୁଆପଥର ବର୍ଷାକୁ ସମ୍ମୁଖୀନ ହୋଇଥିଲେ। ସେମାନେ ନିଜ ଗନ୍ତବ୍ୟ ପଥରେ ପହଂଚିବା ପୂର୍ବରୁ ତାଙ୍କ କାର ଉପରେ ଗଛର ଏକ ବିଶାଳ ଗଣ୍ଡି ପଡ଼ି ଯାଇଥିଲା। ଅପରାହ୍ଣ ପ୍ରାୟ ୩ଟାରୁ ସାଢ଼େ ୪ଟା ଯାଏଁ ଆଜି ଘୁର୍ଣ୍ଣିଝଡ଼ର ତାଣ୍ଡବ ନୃତ୍ୟ ଦେଖିବାକୁ ମିଳିଥିଲା।

ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ ବିନୋଦ ଓ ସନ୍ତୋଷଙ୍କୁ କାର୍‌ ଭିତରୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଛନ୍ତି। ଅଜୟଙ୍କ ସ୍ଥିତି ଭଲ ଅଛି। ସୂଚନା ପାଇ ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିଛନ୍ତି। ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି। ଦୁର୍ଘଟଣା ପରେ ପ୍ରାୟ ୨ ଘଣ୍ଟା ଯାଏଁ ଗମନାଗମନ ବନ୍ଦ ରହିଥିଲା।

ସୂଚନାଯୋଗ୍ୟ ୪ ମାସ ତଳେ ମଧ୍ୟ ରାଉରକେଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଉଦିତ ନଗରସ୍ଥିତ ନିବେଦିତା ମହିଳା ଛାତ୍ରାବାସ ନିକଟରେ ଚଳନ୍ତା କାର ଉପରେ ଗଛ ମାଡ଼ି ବସିଥିଲା। ଫଳରେ ସ୍ଥାନୀୟ ଅନୁରାଗ ହୋଟେଲର ମାଲିକ ଜୀବନ ହାରିଥିଲେ।

ସମ୍ବନ୍ଧିତ ଖବର