ଦିନରେ ଧୁ ଧୁ ଖରା, ସଂଧ୍ୟାରେ କାଳବୈଶାଖୀ, ପବନ, ଘଡ଼ଘଡ଼ି ସହ ଅଧ ଘଣ୍ଟା ବର୍ଷିଲା

ବାଲେଶ୍ବର: ରବିବାର ଅପରାହ୍‌ଣରେ ବାଲେଶ୍ବରରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ଘଡ଼ଘଡ଼ି ଏବଂ ପବନ ସହ ଅଧଘଣ୍ଟା ବର୍ଷା ହୋଇଥିଲା। ଦିନରେ ଧୁ ଧୁ ଖରାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବର୍ଷା ପରେ ସମସ୍ତେ ଆଶ୍ବସ୍ତି ଅନୁଭବ କରିଥିବା ଦେଖାଯାଇଛି।

ଆଜି ଦିନରେ ସର୍ବାଧିକ ତାପମାତ୍ରା ୩୬ଡିଗ୍ରୀ ସେଲସିୟସ ରହିଥିବା ବେଳେ ଝାଞ୍ଜିପବନ ବୋହିଥିଲା। ମଧ୍ୟାହ୍ନ ସାଢ଼େ ୧୨ଟା ବେଳକୁ ରାସ୍ତାଘାଟରେ ଲୋକଙ୍କ ଭିଡ଼ କମିଥିଲା। ଗରମ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଥିଲା। ତେବେ ଅପରାହ୍‌ଣ ୩ଟା ବେଳକୁ ଆଂଶିକ ପବନ ସହ ଘଡ଼ଘଡ଼ି ଓ ବର୍ଷା ହୋଇଥିଲା। କାଳବୈଶାଖୀ ପ୍ରଭାବରେ ବାଲେଶ୍ବର ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ବାଲେଶ୍ବରରେ ବ‌ର୍ଷାର ପରିମାଣ ୮ମିଲିମିଟର ରେକର୍ଡ ହୋଇଛି। ଆସନ୍ତାକାଲି ଏବଂ ତା’ ପରଦିନ ମଧ୍ୟ ଜିଲ୍ଲା ସମେତ ଉତ୍ତର ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ। କିଛିକିଛି ସ୍ଥାନରେ କୁଆପଥର ବର୍ଷା ସହ ଘଡ଼ଘଡ଼ି ଓ ପବନ ହେବ ବୋଲି ସତର୍କ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର