ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀନିବାସର ଟିଣ ଉଡ଼ିଲା

ଜୟପୁର: ଗତ ଗୁରୁବାର ଦିନ ହୋଇଥିବା କାଳବୈଶାଖୀ ବର୍ଷାରେ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀନିବାସ ଉପରେ ପଡ଼ି ଥିବା ଟିଣ ସବୁ ଉଡ଼ି ତଳେ ଖସିଯାଇଛି। ଗତ ୬ମାସ ତଳେ ହିଁ ଏହା ପକାଯାଇଥିଲା। ଏହା ପରିସରରେ ଥିବା ଟ୍ରାନସଫରମର ଭାଙ୍ଗି ରୁଜି ଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିଲା। ସୌଭାଗ୍ୟବଶତଃ ଏହା ସଂଧ୍ୟାରେ ହୋଇଥିବାବେଳେ ଏଠାରେ କେହି ରହୁ ବି ନଥିବାରୁ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। ତେବେ ଟିଣକୁ ଲାଗିଥିବା ସିମେଣ୍ଟ ବେସ ବାହାରି ପଡ଼ିଥିବାରୁ ଏହାର କାମ କେତେ ଦୁର ଠିକ ହୋଇଥିଲା ତାହା ତଦନ୍ତ ସାପେକ୍ଷ। ୨୦୧୫ ମସିହାରେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସର ନିର୍ମାଣ ଆଇଟିଡିଏ ପକ୍ଷରୁ କରାଯାଇ ସରକାରୀ ମହିଳା ମହାବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା। ୨୦୧୫ ଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଅନ୍ତେବାସୀ ଭାବେ କେହି ରହିନାହାନ୍ତି। ଆରମ୍ଭରୁ ହିଁ ଏହି କୋଠାର ଭିତ୍ତିଭୁମି ଓ ଆନୁସଙ୍ଗିକ ସୁରକ୍ଷା ଏବଂ ଛାତର ଅବସ୍ଥାକୁ ନେଇ କଲେଜର ଅଧ୍ୟକ୍ଷା ଆଦି ଭୟ ପ୍ରକାଶ କରିଥିଲେ। ଏଠାରେ ଅନ୍ତେବାସୀ ଭାବେ ଛାତ୍ରୀମାନେ ରହି ପାରିବେ କି ବୋଲି କଲେଜ ପକ୍ଷରୁ ପୂର୍ତ୍ତ ବିଭାଗକୁ ପ୍ରମାଣପତ୍ର ଦେବାକୁ ଚିଠି କରାଯାଇଥିଲା। ତେବେ ପୂର୍ତ୍ତବିଭାଗ କିଛି ଉତ୍ତର ଦେଇ ନଥିଲେ। ଗତ ୫ବର୍ଷ ହେବ ଏହା ଅବ୍ୟବହୃତ ହୋଇ ସେଭଳି ପଡ଼ି ରହିଥିବା ସଂପର୍କରେ ଏକ ରିପୋର୍ଟ ସମ୍ବାଦରେ ପ୍ରକାଶ ବି ପାଇଥିଲା।

ଗତ ୨୦୨୦ମସିହାରେ ପୁଣି ଏହି ଛାତ୍ରୀନିବାସର ଆଇଟିଡିଏ ପକ୍ଷରୁ ମରାମତି କରାଯିବା ସହ ନୂଆ ବିଦ୍ୟୁତିକରଣ କରାଯାଇଥିଲା। ଛାତକୁ ଯିବା ରାସ୍ତା ସଂପୁର୍ଣ୍ଣ ରୁପେ ବନ୍ଦ କରି ଦେଇ ଏହା ଉପରେ ଟିଣ ପକାଇଥିଲା। ଏହା ଫଳରେ ଛାତ ଉପରକୁ ଯିବାକୁ ବି ରାସ୍ତା ସଂପୁର୍ଣ୍ଣ ରୁପେ ବନ୍ଦ ହୋଇଯାଇଥିଲା। ଅକ୍ଟୋବର ୨୦୨୦ମସିହାରେ ଏହି ଛାତ୍ରୀନିବାସକୁ ପୁଣି ଆଇଟିଡିଏ କଲେଜ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। କଲେଜ କର୍ତ୍ତୃପକ୍ଷ ଏହାକୁ ଗତ ୨୦୨୧ମସିହା ପେବୃଆରୀରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି ଦେଇଥିଲେ। ଏହି କୋଠାରେ ଅନ୍ତେବାସୀ ଭାବେ ଛାତ୍ରୀଙ୍କୁ ରଖିବା ସୁରକ୍ଷିତ କି ନାହିଁ ଏହାର ପ୍ରମାଣପତ୍ର ଦେବା ପାଇଁ ପୂର୍ତ୍ତବିଭାଗକୁ କଲେଜର ଅଧ୍ୟକ୍ଷା ଡ.ମନୋରମା ଦେବୀ ବାରମ୍ବାର ଚିଠି କରିଥିଲେ ହେଁ ପୂର୍ତ୍ତବିଭାଗ ଏହାର କୌଣସି ପ୍ରତିଉତ୍ତର ଦେଇ ନଥିଲେ। ତେବେ ଏହାରି ମଧ୍ୟରେ ଗତକାଲି ସଂଧ୍ୟାରେ ହୋଇଥିବା କାଳବୈଶାଖୀ ପବନରେ ୪ମାସ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ଲଗାଯାଇଥିବା ଟିଣ ମୂଳରୁ ଉପୁଡିଯାଇଛି। ପୂର୍ତ୍ତ ବିଭାଗ ଭିତ୍ତିଭୁମି ସୁରକ୍ଷିତ କି ନୁହେଁ ଏହାର କିଛି ପ୍ରତିଉତ୍ତର ଦେଉନଥିବା ବେଳେ ଏଠାରେ ଛାତ୍ରୀମାନଙ୍କୁ ଅନ୍ତେବାସୀ ଭାବେ ରଖିବା ବି ନିରାପଦ ନୁହେଁ ବୋଲି କହିଛନ୍ତି ଅଧ୍ୟକ୍ଷା ଡ.ମନୋରମା ଦେବୀ।

ଗୋଟିଏ ପଟେ ବିଲଡିଙ୍ଗର ଅବସ୍ଥା ଭଲ ନଥିବା ବେଳେ ଅନ୍ୟ ପଟେ ଛାତ୍ରୀମାନେ ଏଠାରେ ରହିବା ବିଭିନ୍ନ କାରଣକୁ ନେଇ ନିରାପଦ ନୁହନ୍ତି ବୋଲି ଅଧ୍ୟକ୍ଷା କହିଛନ୍ତି। ପୂର୍ବରୁ ହିଁ ବିଲଡିଙ୍ଗର ଛାତ ଉପରୁ ବାଲି ବାହାରିବା ସହ ଅବସ୍ଥା ଭଲ ନଥିଲା। ଏସଂପର୍କରେ ପିଏଆଇଟିଡିଏଙ୍କୁ ଜଣାଇବା ପରେ ସେ କେବଳ ଏହା ଉପରେ ଟିଣ ପକାଇଥିଲେ। ତେବେ ଏହାର ସୁରକ୍ଷା ପ୍ରମାଣପତ୍ର ମିଳି ନଥିବାରୁ ଏଠାରେ ଅନ୍ତେବାସୀ ଭାବେ ଛାତ୍ରୀ ମାନଙ୍କୁ ରଖାଯାଉନଥିଲା ବୋଲି କହିଛନ୍ତି ଅଧ୍ୟକ୍ଷା। ଏଭଳି ଏହାର ଅବସ୍ଥା ଭଲ ନଥିବା ସଂପର୍କରେ ସେ ଜିଲ୍ଲାପ୍ରଶାସନ, ରାଜ୍ୟସରକାର ଓ ବିଧାୟକଙ୍କୁ ବି ଅବଗତ କରିଥିବା କହିଛନ୍ତି ଅଧ୍ୟକ୍ଷା। ବିଭାଗୀୟ ବୈଷୟିକ ଯନ୍ତ୍ରୀଙ୍କୁ ପଠାଯାଇ ଏହାର ଯାଂଚ କରାଯିବ।

ଆଇଟିଡିଏ ପକ୍ଷରୁ ପୁର୍ନବାର ମରାମତି କରାଯିବ ବୋଲି କହିଛନ୍ତି ପିଏଆଇଟିଡିଏ ଗୋପୀନାଥ ସାରକା। ସରକାର କା ମାଲ୍ ଦରିଆଁ ମେଁ ଡାଲ ସଦୃଶ୍ୟ ଗତ ୬ବର୍ଷ ହେବ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଥିଲେ ଗୋଟିଏ ବି ଛାତ୍ରୀ ଅନ୍ତେବାସୀ ଭାବେ ନ ରହିବା ସରକାରୀ ଯୋଜନା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ତେବେ କେଉଁ ପରିସ୍ଥିତିରେ ଟିଣ ଉଡ଼ିଗଲା ଏବଂ ପୂର୍ତ୍ତବିଭାଗ କାହିଁକି ଏହାର ସୁରକ୍ଷା ପ୍ରମାଣପତ୍ର ଦେଉନି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର