ଭଞ୍ଜନଗରରେ କାଳ ବୈଶାଖୀର ତାଣ୍ଡବ,୧ ଘଣ୍ଟାରେ ସବୁ ଛାରଖାର

ମେଡ଼ିକାଲ୍ ଠାରୁ ସରକାରୀ କାର୍ଯ୍ୟାଳୟ ସବୁଠି ବିରାଟ ଗଛ ଭାଙ୍ଗି ରାସ୍ତାବନ୍ଦ

ଭଞ୍ଜନଗର: ଭଞ୍ଜନଗର ଓ ଉପକଣ୍ଠ ଅଞ୍ଚଳରେ ଆଜି ଅପରାହ୍ନ ୩ ଟା ସମୟରେ କାଳ ବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବୋହିବା ସହ ବହୁ ବଡ଼ ଗଛ ମଧ୍ୟ ଭାଙ୍ଗି ରାସ୍ତା ଉପରେ ଲୋଟି ପଡିଛି। ଉପଖଣ୍ଡ ଡାକ୍ତରଖାନା ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ,ଏସଡିପିଓ ଅଫିସ୍ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ସାମ୍ନାରେ ବିରାଟ ଗଛ ପଡ଼ି ରାସ୍ତା ପୁରା ବନ୍ଦ ହୋଇଯାଇଛି।

ବର୍ଷା ପବନ ଫଳରେ ବିଭିନ୍ନ ସ୍ଥାନରେ ଗଛ ଡାଳ ପଡି ବିଦ୍ୟୁତ୍ ସରବରାହ ବ୍ୟାଘାତ୍ ଘଟିଛି। ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିବା ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି।

ଏହାକୁ ସଜାଡି ପାଇଁ ବିଦ୍ୟୁତ୍ କର୍ମଚାରୀମାନେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ବିଦ୍ୟୁତ୍ ସେବା ସ୍ବଭାବିକ ହୋଇପାରିନାହିଁ। ଗଛ ଡାଳ ଭାଙ୍ଗି ପଡିଯାଇଥିବା ଫଳରେ ରାସ୍ତା ଅବରୋଧ ହେବା ସହ ତାର ଛିଣ୍ଡିଯିବା ଯୋଗୁଁ ବହୁ ଗ୍ରାମ ଅନ୍ଧାରେ ଥିବା ମଧ୍ୟ ଅଭିଯୋଗ ହୋଇଛି। ଉପଖଣ୍ଡ ଡାକ୍ତରଖାନା ମୁଖ୍ୟ ରାସ୍ତାରେ ଥିବା ବଡ଼ କଦମ୍ବ ଗଛ ଏବଂ ନିମ୍ବ ଗଛଟି ଭାଙ୍ଗି ପଡ଼ିଥିବା ବେଳେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ ଯୁଦ୍ଧକାଳୀନ ଭିତ୍ତିରେ କାଟି ବାଟ ସଫା କରିଛନ୍ତି। ଏହି କାଳ ବୈଶାଖୀରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ବିଶେଷ ମାତ୍ରାରେ କ୍ଷତି ଗ୍ରସ୍ତ ହୋଇଛି।  କାର୍ଯ୍ୟାଳୟର ଭିତରେ ସିଲିଂ ଭାଙ୍ଗି  ସମସ୍ତ କାଗଜପତ୍ର ନଷ୍ଟ ହୋଇଯାଇଛି।

ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା ଉପରେ ବଡ଼ ବଡ଼ ଆମ୍ବ ଗଛର ଗଣ୍ଡି ଭାଙ୍ଗି ରାସ୍ତା ବନ୍ଦ ହୋଇଯାଇଛି। ଏହି ଝଡ଼ ତୋଫାନରେ ମୁଦୁଲିପଲ୍ଲୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଛାତ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଛି। ନୂଆଗାଁ ବ୍ରିଜ୍ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ମାଲ ବୋଝେଇ ପିକ୍ଅପ୍ ଭ୍ୟାନ ପବନର ବେଗରେ ଓଲଟି ପଡିଥିଲା।

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ବିରାଟ ଗଛ ଭାଙ୍ଗ ରାସ୍ତା ଉପରେ ପଡିଥିବା ବେଳେ ଟ୍ରେକର ଷ୍ଟାଣ୍ଡ୍ ଠାରୁ ବ୍ଳକ୍ କାର୍ଯ୍ୟାଳୟ ରାସ୍ତା ବନ୍ଦ ହୋଇଯାଇଥିଲା। ବିଇଓ କାର୍ଯ୍ୟାଳୟର ପାଚେରୀ ପୁରା ଭାଙ୍ଗି ଯାଇଥିବା ବେଳେ ଏହି କାର୍ଯ୍ୟାଳୟ ଭିତରକୁ ଯିବା ରାସ୍ତାରେ ପାଣି ଜମା ହୋଇ ରହିଛି। ସେହିପରି ମୁଜାଗଡ଼ ବନାଞ୍ଚଳ ସମ୍ମୁଖରେ ମଧ୍ୟ ଏକ ବିରାଟ ଗଛ ଭାଙ୍ଗି ପଡ଼ିଥିବା ବେଳେ ବନ କର୍ମଚାରୀମାନେ ତାକୁ କାଟି ବାହାର କରିଥିଲେ। ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଦୁଇଟି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଥିବା ବେଳେ ପାତ୍ର କଲୋନୀ ଏବଂ ବେଲଗୁଣ୍ଠା ରୋଡ଼ରେ ବିଦ୍ୟୁତ୍ ଖୁଣ୍ଟ୍ ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍ ବିଭାଗ ଏସଡିଓ ହୃଦୟ ବଲ୍ଲଭ ପ୍ରଧାନ ସୂଚନା ଦେଇଛନ୍ତି।

ଏଥିସହ ବେଲଗୁଣ୍ଠା ରୋଡ଼,ବାଗ୍ବଦେବୀ ରୋଡ଼,ପାତ୍ର କଲୋନୀ,ତହସିଲଦାରଙ୍କ ବାସଭବନ,ଭେଜିପୁଟ ଆଦି ଅଞ୍ଚଳରେ ବିଦ୍ୟୁତ ତାର ଛିଣ୍ଡି ଥିବା ବେଳେ କର୍ମଚାରୀମାନେ ବିଦ୍ୟୁତ୍ ସେବା ସ୍ବାଭାବିକ କରିବା ପାଇଁ ଲାଗିପଡ଼ିଛନ୍ତି। ଆଜି ରାତିରେ ସୁଦ୍ଧା କିଛି ଅଂଶରେ ବିଦ୍ୟୁତ୍ ସରବରାହ ଫେରି ଆସିବ ବୋଲି ସେ ପ୍ରକାଶ କରିଛନ୍ତି।

ଏହି କାଳ ବୈଶାଖୀରେ ବିଦ୍ୟୁତ୍ ବିଭାଗର ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଅଦିନିଆ ପବନ ବର୍ଷା ଯୋଗୁଁ ବହୁ ଗରୀବ ଲୋକଙ୍କ ଟିଣ ଛପର ଉଡି ଯାଇଛି। ରାସ୍ତା କଡ଼ରେ ବସିଥିବା ଉଠା ବେପାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ହଠାତ୍ ମେଘ ପବନ ଆସିବାରୁ ଜିନିଷକୁ ରକ୍ଷା କରି ପାରି ନଥିଲେ। ଯାହା ଫଳରେ ବର୍ଷାରେ ସେମାନଙ୍କର ବହୁ କ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା। ସହର ଆଖପାଖ ଇଲାକାରେ ମଧ୍ୟ ପ୍ରକୃତିର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବହୁ ଚାଳଛପର ଉଡିଯାଇଥିବା ବେଳେ ଲୋକମାନେ ରହିବା ପାଇଁ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହି ଝଡ଼ ତୋଫାନରେ ପନିପରିବା ଚାଷୀ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର