ମାଲକାନଗିରି: ଜୟପୁର ମାଲକାନଗିରିକୁ ଲମ୍ବିଯାଇଥିବା ରାଞ୍ଚି ବିଜୟୱାଡ଼ା ୩୨୬ ନଂ ଜାତୀୟ ରାଜପଥ କଡରୁ ଆଜି ଗୋଟିଏ ଗୁରୁତର ହେଟାବାଘ ଉଦ୍ଧାର କରାଯାଇଛି।ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି ନିକଟସ୍ଥ ରାସ୍ତା କଡ ନାଳରେ ହେଟାବାଘ ଗୁରୁତର ହୋଇ ଚାଲି ନ ପାରି ପଡି ରହିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ବନ ବିଭାଗର କର୍ମଚାରୀ ଏକ ଯନ୍ତା ସାହାଯ୍ୟରେ ହେଟାବାଘକୁ ଉଦ୍ଧାର କରି ମେଡିକାଲ ନେଇଥିଲେ।ସେଠାରେ ହେଟାବାଘର ଚିକିତ୍ସା କରାଯାଇଛି।ସୁସ୍ଥ ହେବା ପରେ ତାକୁ ବଣରେ ପୁଣି ଛଡାଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ରାତିରେ ବନ୍ୟଜନ୍ତୁ ଜାତୀୟ ରାଜପଥ ପାର ହେଉଥିବା ବେଳେ କ୍ଷୀପ୍ର ଗତିରେ ଯାଉଥିବା ଗାଡିଗୁଡିକ ସାମ୍ନାରେ ଏହି ଜନ୍ତୁ ପଡିଯାଉଛନ୍ତି। ତେଣୁ ବହୁ ଜନ୍ତୁ ମଧ୍ୟ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ହେଟାବାଘକୁ କୌଣସି ଅଜଣା ଗାଡି ଧକ୍କା ଦେବା ଫଳରେ ସେ ଗୁରୁତର ହୋଇ ରାତି ସାରା ଶୀତରେ ନାଳରେ ପଡି ରହିଥିଲା। ଖାଦ୍ୟ ଅନ୍ବେଷଣରେ ଜଂଗଲୀ ଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଗତ କିଛି ମାସ ଧରି ଜିଲ୍ଲାରେ ୫୦ରୁ ଉର୍ଦ୍ଧ୍ବ ଅଜଗର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିବା ବେଳେ ଏବେ ଜଂଗଲି ଜନ୍ତୁ ଗାଁ ମୁହାଁ ହେଲେଣି,ଯାହାଫଳରେ ବିଭିନ୍ନ ଗାଡି ତଳେ ପଡି ମରିବା ସହ ଆହତ ହେଉଛନ୍ତି।