ପଶୁଙ୍କ ପାଇଁ ଜଙ୍ଗଲ ଅସୁରକ୍ଷିତ! ଅଢ଼େଇବର୍ଷରେ ଦୁଇ ବାଘୁଣୀ ମୃତ; କଲରାପତରିଆ ବା‌ଘ ଗଣନା ହେଉନି

ଶିକାର ରୋକିବା ପାଇଁ ହେଉନି ପାଟ୍ରୋଲିଂ, ବାଇକ୍‌ କ୍ଲଚ୍‌ ତାରରେ ଫାସ ପ୍ରସ୍ତୁତ କରୁଛନ୍ତି ଶିକାରୀ

କଟକ: ମାତିଛନ୍ତି ଶିକାରୀ। ଆଠଗଡ଼ ବନଖଣ୍ଡର ଗୁରୁଡିଝାଟିଆ, ସୁନିଆମୁହିଁ ଜଙ୍ଗଲରୁ ଆରମ୍ଭ କରି ବଡମ୍ବାର ହଳଦିଆସେଣୀ, କରଡା, ନାଗାତୋଟା ସବୁଠି ପଡ଼ୁଛି ଫାସ। ଢେଙ୍କାନାଳ ରେଞ୍ଜର କନ୍ଧରା ସଂରକ୍ଷିତ ଜଙ୍ଗଲକୁ ଲାଗିଛି ଆଠଗଡ଼ ବନଖଣ୍ଡର ତିଗିରିଆ, ବଡମ୍ବା ଓ ନରସିଂହପୁର ଜଙ୍ଗଲ। ଫଳରେ ବନ୍ୟଜନ୍ତୁ ଏପଟ ସେପଟକୁ ଯାତାୟତ କରିଥାନ୍ତି। କିନ୍ତୁ ସେମାନଙ୍କ ସୁରକ୍ଷା ପ୍ରତି ବନବିଭାଗ ଯେଉଁଭଳି ପଦକ୍ଷେପ ନେବା କଥା ତାହା ନେଉନି। ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଅବାଧରେ ଏଭଳି ଫାସ ଓ ଶିକାର ଚାଲିଥିବାବେଳେ ନିକଟରେ କଳରାପତରିଆ ବାଘୁଣୀର ମୃତ୍ୟୁ ଘଟଣା ଓ ଜଙ୍ଗଲରୁ ବ୍ୟାପକ ଫାସ ଜବତ୍‌ ହେବା ଘଟଣା ହିଁ ଦର୍ଶାଉଛି ଶିକାରୀଙ୍କୁ ପ୍ରାଦୁର୍ଭାବକୁ। ୨୦୧୯ରେ ମଧ୍ୟ ସମାନ ଢଙ୍ଗରେ ଢିଗିରିଆରେ ବାଘୁଣୀ ଶିକାର ହୋଇଥିଲା। କିନ୍ତୁ ଆଠଗଡ଼ ବନଖଣ୍ଡରେ କେତେ କଲରାପତରିଆ ବାଘ ରହିଛନ୍ତି ତାର ଗଣନା ହୋଇନି। କେବଳ ବାଘ ଗଣନା କରାଯାଉଛି କିନ୍ତୁ କଲରାପତରିଆ ବାଘର କୌଣସି ଗଣନା କରାଯାଇନଥିବା ଜଣାପଡିଛି। ଯେହେତୁ ତିଗିରିଆରେ ଅଢେଇ ବର୍ଷରେ ଦୁଇ ଦୁଇଟି କଲରାପତରିଆ ବାଘର ଶିକାର ସୂଚାଉଛି ଯେ, ଆଠଗଡ଼ ବନଖଣ୍ଡରେ କଲରାପତରିଆ ବାଘ ଅଛନ୍ତି। ଏପଟେ ଆଠଗଡ଼ ବନଖଣ୍ଡର ୫ଟି ରେଞ୍ଜରୁ ୨ଟିରେ ରେଞ୍ଜର ନାହାନ୍ତି। ବଡମ୍ବାରେ ଫରେଷ୍ଟରଙ୍କ ହାତରେ ଓ ଖୁଣ୍ଟୁଣୀ ରେଞ୍ଜରଙ୍କୁ ଦୁଇ ଦୁଇଟି ଦାୟିତ୍ବ ଦିଆଯାଇଛି। କଟକ ଜିଲ୍ଲାର ଆଠଗଡ଼ ବନଖଣ୍ଡ ହାତୀ, କଲରାପତରିଆ ବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କ ଏକ ସନ୍ତୁଳିତ ବାସସ୍ଥାନ। କିନ୍ତୁ ଦିନକୁ ଦିନ ଅସୁରକ୍ଷିତ ହୋଇପଡିଛି ଆଠଗଡ଼ ବନଖଣ୍ଡ। କେତେବେ‌ଳେ ବନ୍ୟଜନ୍ତୁ ଓ ହାତୀପଲଙ୍କ ଆକ୍ରମଣରେ ଅନେକ ଜୀବନ ଚାଲିଯାଉଥିବା ବେଳେ, କେତେବେଳେ ହାତୀ, ବାଘ ଓ ଅନ୍ୟାନ୍ୟ ଜନ୍ତୁଙ୍କ ଜୀବନ ଶିକାରୀଙ୍କ ହାତରେ ଚାଲିଯାଉଛି। ଯଦି ଆଠଗଡ଼ ବନଖଣ୍ଡ କଥା ଦେଖାଯାଏ ଏବେ ପାଖାପାଖି ୧୪୦ ହାତୀ ୫ଟି ରେଞ୍ଜରେ ରହିଥିବାବେଳେ ନରସିଂହପୁରର ୨ଟି ରେଞ୍ଜରେ ସର୍ବାଧିକ ୮୫, ବଡମ୍ବାରେ ୨୭ ଓ ଆଠଗଡ଼ ଓ ଖୁଣ୍ଟୁଣୀରେ ୨୪ଟି ହାତୀ ରହିଛନ୍ତି।

ବନବିଭାଗ ହାତୀ ଘଉଡାଇବାରେ ବ୍ୟସ୍ତ, ହେଲେ ଅନ୍ୟ ବନ୍ୟଜନ୍ତୁଙ୍କ କଥା ଭୁଲିଯାଉଛନ୍ତି। ଗତ କିଛିଦିନ ତଳେ ବଡମ୍ବା ରେଞ୍ଜର ବିଭିନ୍ନ ସଂରକ୍ଷିତ ଜଙ୍ଗଲରୁ ଶିକାର ଉଦ୍ଦେଶ୍ୟରେ ବିଛାଯାଇଥିବା ଜିଆଇ, କେବୁଲ ତାର ଫାସ ସବୁ ଜବତ୍‌ କରାଯାଇଥିବାବେଳେ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ଏବେ କିନ୍ତୁ ଶିକାରୀଙ୍କ ଶିକାର ଶୈଳିରେ ପରିବର୍ତ୍ତନ ହେବା ସହ ଜିଆଇ ବଦଳରେ ବାଇକ୍‌ର କ୍ଲଚ୍‌ ୱେୟାର ତାରରେ ଫାସ ପକାଉଛନ୍ତି। କେବଳ ଜନ୍ତୁ ନୁହେଁ ପକ୍ଷୀ ଶିକାର ବି ବଢୁଛି। ଢେଙ୍କାନାଳର କନ୍ଧରା ସଂରକ୍ଷିତ ଜଙ୍ଗଲ ଲାଗିଛି ଆଠଗଡ଼ ବନଖଣ୍ଡର ୪ଟି ରେଞ୍ଜକୁ । ଫଳରେ ଉକ୍ତ ଜଙ୍ଗଲରୁ ସବୁବେଳେ ହାତୀ, ବନ୍ୟଜନ୍ତୁ, କଲରାପତରିଆ ବାଘଙ୍କ ଯାତାୟାତ ରହୁଛି। ନରସିଂହପୁର ଜଙ୍ଗଲରେ ଯଦିଓ କଲରାପତରିଆ ବାଘ ସଂଖ୍ୟାକୁ ନେଇ ଗଣନା ହୋଇନି ତଥାପି ସେମାନଙ୍କୁ ପାଦ ଚିହ୍ନ, ଆମ୍ପୁଡା ଦାଗ ସବୁକୁ ଦେଖିଲେ ସେଠାରେ ମଧ୍ୟ ୧୦ରୁ ଅଧିକ କଲରାପତରିଆ ବାଘ ଥିବା ଜଣାପଡିଛି। କିନ୍ତୁ ଆଠଗଡ଼ ବନଖଣ୍ଡ ହେଉ ବା କଟକ ବନଖଣ୍ଡରେ ବାଘ ନଥିବା ବନବିଭାଗ କହିଛି। ତିରିରିଆର କାଳିଚାବଲ୍ଲଭ, ନିଜିଗଡ, ସୋରିଶପାଳ ଆଦି ଜଙ୍ଗଲରେ ଶିକାର ପାଇଁ ଫାସ ବ୍ୟବସ୍ଥା ଏକ ନିତିଦିନିଆ ପ୍ରକ୍ରିୟା। କିନ୍ତୁ ବନବିଭାଗ ପକ୍ଷରୁ ଯେଉଁ ପାଟ୍ରୋଲିଂ ହେବା କଥା ତା ହେଉନି। କାରଣ କର୍ମଚାରୀ ଅଭାବ ଓ ହାତୀ ଘଉଡାଇବା ବାହାନା ଦେଖାଇ ଜଙ୍ଗଲ ପାଟ୍ରୋଲିଂ କଥା ଭୁଲିଗଲେଣି ବନକର୍ମଚାରୀ। ଯାହାଫଳରେ ଶିକାରୀଙ୍କ ଭୂସ୍ବର୍ଗ ପାଲଟିବାକୁ ଯାଉଛି ଆଠଗଡ଼ ବନଖଣ୍ଡ।

ସମ୍ବନ୍ଧିତ ଖବର