ଭଞ୍ଜନଗର: ସଙ୍କଟରେ ପଡିଥିବା ବାଘଙ୍କ ବଂଶ ରକ୍ଷା ସହ ସେମାନଙ୍କ ସୁରକ୍ଷା ଲାଗି ଆଜି ସାରା ବିଶ୍ବରେ ପାଳିତ ହେଉଛି ଆର୍ନ୍ତଜାତୀୟ ବାଘ ଦିବସ। ପରିବେଶବିତ୍ଙ୍କ ମତରେ ପ୍ରକୃତି ଲାଗି ବାଘ ଏକ ଅମୂଲ୍ୟ ଅବଦାନ। ବନ୍ୟଜନ୍ତୁଙ୍କ ସମେତ ବାଘର ବଂଶ ବୃଦ୍ଧି ବନାଞ୍ଚଳର ଭାରସାମ୍ୟ ରକ୍ଷାରେ ବିଶେଷ ସହାୟକ ହୋଇଥାଏ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ବୃକ୍ଷଲତା ଓ ବନ୍ୟପ୍ରାଣୀ ଆମ ସଂସ୍କୃତିର ଅଂଶ ବିଶେଷ ହୋଇପାରିଛନ୍ତି। କ୍ରମାଗତ ଭାବେ ବାଘ ମାନଙ୍କ ସଂଖ୍ୟା ହ୍ରାସ ହୋଇଯାଉଥିବା ବେଳେ ସେମାନଙ୍କ ବଂଶ ରକ୍ଷା ପାଇଁ ତୃଣମୂଳ ସ୍ତରରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ। ଏକ ବିଲୁପ୍ତପ୍ରାୟ ପ୍ରାଣୀ ଭାବେ ବାଘକୁ ଆଜି ସମୟରେ ଗଣନା କରଯାଉଛି। ବାଘ ମାନଙ୍କ ପାଇଁ ପ୍ରକୃତ ବାସସ୍ଥଳୀ ସଙ୍କୁଚିତ ହେବା ବାଘ ମାନଙ୍କ ସଂଖ୍ୟା କମିବାର ଏକ ପ୍ରମୁଖ କାରଣ। ସହର ଜନବସତି ବୃଦ୍ଧି ପାଇବା ସହିତ ଘଞ୍ଚ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ବାଘଙ୍କ ବାସସ୍ଥଳୀ ପାଖାପାଖି ୯୦ ପ୍ରତିଶତ କମିଥିବା ଏକ ପରିସଂଖ୍ୟନରୁ ଜଣାପଡିଛି। ଅନ୍ୟପକ୍ଷରେ ଜଙ୍ଗଲରେ ରହିବାକୁ ସକ୍ଷମ ଥିବା ବାଘ ମଧ୍ୟ ସୁରକ୍ଷିତ ନୁହନ୍ତି ଶୀକାରିଙ୍କ ପାଦୁର୍ଭାବ ଏମାନଙ୍କ ସଂଖ୍ୟା ହ୍ରାସର ଅନ୍ୟ ଏକ କାରଣ। ବାଘର ନଖ, ଚମଡା, ଦାନ୍ତ ଆଦିକୁ ଚୋରୀ କରିବା ଉଦ୍ଦେଶ୍ୟରେ ଅବାଧରେ ବାଘ ଶୀକାର କରାଯାଉଛି। ତସ୍କର ମାନେ ବାଘ ଶୀକାର କରି ସେମାନଙ୍କ ଚମଡା, ନଖ ଆଦି ଅନ୍ୟ ରାଜ୍ୟରେ ନେଇ ବିକ୍ରି କରୁଥିବା ବିଗତ ଦିନରେ ଘଟିଥିବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଗଞ୍ଜାମ ଜିଲ୍ଲାରେ ଥିବା ଘୁମୁସର ଜଙ୍ଗଲ ରାଜ୍ୟର ବୃହତ ଜଙ୍ଗଲ ଡିଭିଜନ୍ କହିଲେ ଜମାରୁ ଅତ୍ୟୁକ୍ତି ହେବ ନାହିଁ। ମୁଲ୍ୟବାନ ବୃକ୍ଷ ସହ ବହୁ ବନ୍ୟପ୍ରାଣୀ ଓ ବିରଳ ପ୍ରଜାତିର ପଶୁ ମାନଙ୍କ ମୁଖ୍ୟ ଆଶ୍ରୟସ୍ଥଳୀ ଭାବେ ପରିଚୟ ସୃଷ୍ଟି କରିପାରିଛି।
ଏହାକୁ ସଠିକ ପରିଚାଳନା କରିବା ନିମନ୍ତେ ଉତ୍ତର ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ଦୁଇଟି ବନଖଣ୍ଡ ଗଠିତ କରାଯାଇଛି। କିନ୍ତୁ ବନ ବିଭାଗର ଆକଳନ ଅନୁଯାୟୀ ଏହି ବନଖଣ୍ଡରେ ଗୋଟିଏ ମଧ୍ୟ ମହାବଳ ବାଘ ନାହିଁ। କିଛି ଜଙ୍ଗଲରେ କଲରାପତରିଆ ବାଘ ଦେଖାଯାଉଥିବା ବେଳେ ଅନେକ ସମୟରେ ଏମାନେ ଜନବସତି ମୁହାଁ ହୋଇଥିବା ଖବର ସାମ୍ନାକୁ ଆସିଛି। ଉତ୍ତର ଘୁମୁସର ବନଖଣ୍ଡରେ ଗତ ୨୦୧୬ ମସିହାରେ ହୋଇଥିବା ବାଘ ଗଣନାରେ ୧୭ ଗୋଟି କଲରାପତରିଆ ବାଘ ରହିଥିବା ଜଣାପଡିଥିଲା। ଏଥିରେ ୬ ଟି ପୁରୁଷ ବାଘ, ୧୦ ଟି ମାଇ ବାଘ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ବାଘ ଛୁଆ ରହିଥିବା ତଥ୍ୟ ରହିଥିଲା। ଏହାପରେ ଗତ ୨୦୧୮ ମସିହାରେ ହୋଇଥିବା ବାଘ ଗଣନାରେ ଏହି ସଂଖ୍ୟ ୬କୁ ଖସି ଆସିଥିଲା। ଗତ ୨୦୧୫ ମସିହା ଜୁଲାଇ ୮ ତାରିଖ ଦିନ ଉତ୍ତର ଘୁମୁସର ବନଖଣ୍ଡର ତାରିସିଂହ ବନାଞ୍ଚଳର ଚନ୍ଦ୍ରଗିରି ଜଙ୍ଗଲରେ ଗୋଟିଏ ବାଘକୁ ଶିକାରୀ ମାନେ ହତ୍ୟା କରିଥିବା ବେଳେ ଏହି ଅଭିଯୋଗରେ ବନ ବିଭାଗ ପରବର୍ତ୍ତି ସମୟରେ ୪ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା।
ଏହି ଘଟଣା ପରେ ବାଘକୁ ମାରିବା ଖବର ଆଉ ଜଣାପଡୁନଥିବା ବେଳେ କଲରାପତରିଆ ସଂଖ୍ୟା ହ୍ରାସ ମଧ୍ୟ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି। କିଛି ବର୍ଷ ପୂର୍ବେ ମୁଜାଗଡ ବନାଞ୍ଚଳର ବାଇବାଲି ସଂରକ୍ଷିତ ଜଙ୍ଗଲ ଭାଗ ନଂ ୪ରୁ ଏକ କଲରାପତରି ବାଘ ଏକ ବାଛୁରୀକୁ ଆକ୍ରମଣ କରି ମାରିଦେଇଥିବା ଖବର ଜଣାପଡିଥିଲା। ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତ ଦୁର୍ଗମ ବାଇବାଲି ଗ୍ରାମର ହରିକୃଷ୍ଣ ସାହୁଙ୍କ ଏକ ବାଛୁରୀକୁ ବାଘ ଆକ୍ରମଣ କରିଥିଲା। ଏହା ଦେଖି ଗ୍ରାମବାସୀ ମାନେ ପାଟି କରିବାରୁ ବାଘଟି ଜଙ୍ଗଲ ମଧ୍ୟକୁ ଦୌଡି ପଳାଇଥିଲା। ଗ୍ରାମବାସୀ ମାନେ ଖବର ଦେବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ କଲରାପତରୀ ବାଘ ଆକ୍ରମଣରେ ବାଛୁରୀଟିର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲା।
ସେହିପରି ଗତ ୨୦୧୯ ଅକ୍ଟୋବର ମାସରେ ଜଗନ୍ନାଥପ୍ରସାଦ ବନାଞ୍ଚଳର ନଣ୍ଡେଇ ପାହାଡରେ ବାଘ ରହିଥିବା ସହ କିଛି ବାଛୁରୀ ଏବଂ ଛେଳିକୁ ଆକ୍ରମଣ କରିଥିବା ସ୍ଥାନୀୟ ଲୋକ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ବରଗାଁରେ ଗୋଟିଏ ବାଛୁରୀକୁ ବାଘ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। କିନ୍ତୁ ଏହା ବାଘ ଦ୍ବାରା ହୋଇଥିଲା ନା ନାହିଁ କୌଣସି ସ୍ପଷ୍ଟ ହୋଇନଥିବା ବେଳେ ବାଘର ସନ୍ଧାନ ମିଳିନଥିଲା। ଏହାପରେ ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡା ବନାଞ୍ଚଳର ଜିରାବାଡି ଗ୍ରାମର ଦାନ୍ତକାଠି ମୁଣ୍ଡିଆରେ ବାଘ ଆତଙ୍କ ଦେଖାଦେଇଥିଲା। ଗତ ୨୦୧୮ ମସିହାରେ ମଧ୍ୟ ଜଗନ୍ନାଥପ୍ରସାଦ ବ୍ଳକ୍ରେ ରାମ୍ପୁ ଗ୍ରାମରେ ଏକ ଗାଇକୁ ବାଘ ଖାଇଥିବା ଅଭିଯୋଗ ଆସିଥିଲା। ସେହି ସମୟରେ ଗ୍ରାମବାସୀ ଭୟଭୀତ ହୋଇପଡିଥିବା ବେଳେ ବନ ବିଭାଗ ପାଦ ଚିହ୍ନରୁ ଖୋଜି ଖୋଜି କୌଣସି ଟେର୍ ପାଇନଥିଲା। ଗତବର୍ଷ ଜାନୁଆରୀ ମାସରେ ବୁଗୁଡା ମୁଣ୍ଡାଖାଇ ପାହାଡରେ ବାରହା ଫାଶରେ ପଡି ଏକ କଲରାପତରିଆରର ମୃତ୍ୟୁ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ବାଘ ସୁରକ୍ଷା ନେଇ ଅବଶ୍ୟକ ପଦକ୍ଷେପ ଓ ସଚେତନା ଅଭାବରୁ ଏହା ବିଲୁପ୍ତପ୍ରାୟ ପାଲଟିଲାଣି। ଏମାନଙ୍କ ରକ୍ଷା କରିବା ସହ ସେମାନଙ୍କର ବାସସ୍ଥଳୀକୁ ଯଥାସମ୍ଭବ ସୁରକ୍ଷା ଜରୁରୀ। ଯାହା ଫଳରେ ପରବର୍ତ୍ତୀ ପିଢି ବାଘଙ୍କୁ ଦେଖି ସେମାନଙ୍କ ବାବଦରେ ଅନେକ କଥା ଜାଣିପାରିବେ ବୋଲି ପରିବେଶବିତ୍ ମତପ୍ରକାଶ କରିଛନ୍ତି।