ଜମି ମଧ୍ୟ ଏକ ଗାତ ମଧ୍ୟରେ ପଶି ରହିଛି ହେଟାବାଘ! ଲୋକେ ଭୟଭୀତ

ଗାତ ପାଖରେ ଉଦ୍ଧାର ପାଇଁ ଜଗିରହିଛନ୍ତି ବନ କର୍ମଚାରୀ ୰୰୰

ଡାବୁଗାଁ: ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମା ଆମ ପାଣି ଘାଟିରେ ଦୁଇଦିନ ତଳେ ଏକ କଲରାପତରିଆ ବାଘ ଦୃଶ୍ୟମାନ ହୋଇଥିବା ବେଳେ ଉକ୍ତ ଘାଟି ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ଆଜି ସକାଳ ପ୍ରାୟ ୮ ଘଣ୍ଟ ସମୟରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମ ନିକଟ ଏକ ଜମି ମଧ୍ୟରେ ଥିବା ଗାତରେ ଏକ ହେଟାବାଘ ଦୃଶ୍ୟମାନ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତେବେ ହେଟାବାଘକୁ ଉଦ୍ଧାର କରିବା ପାଇଁ ଡାବୁଗାଁ ବନାଞ୍ଚଳ ର ବନ କର୍ମଚାରୀ ମାନେ ଉକ୍ତ ଜମି ନିକଟ ଗାତ ପାଖରେ ଜଗି ରହିଛନ୍ତି। ଖବର ଲେଖାହେବା ସୁଦ୍ଧା ବନ ବିଭାଗ କର୍ମଚାରୀମାନେ ହେଟାବାଘକୁ କାବୁ କରି ନାହାନ୍ତି।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ଜଣେ ଗାଈ ଚରାଳୀ ଗ୍ରାମ ନିକଟ ଜମି ପାଖରେ ଗାଈ ଚରାଇବାକୁ ଯାଇଥିବା ସମୟରେ ଏକ ହେଟାବାଘ ଜମି ମଧ୍ୟରେ ଥିବା ଏକ ଗାତ ରେ ଫସି ରହି ଥିଲା। ଏବଂ ସେଥି ମଧ୍ୟରୁ ବାହାରି ପାରି ନ ଥିଲା। ଗାଇ ଚରାଳି ହେଟାବାଘ କୁ ଦେଖିବା ପରେ ଭୟଭୀତ ହୋଇ ଗ୍ରାମରେ ଯାଇ ଲୋକଙ୍କୁ ଏ ବିଷୟରେ କହିଥିଲା। ହେଟାବାଘ ଜମି ଭିତର ଗାତରେ ଥିବା ଖବର ଜାଣିବା ପରେ ଗ୍ରାମବାସୀ ତୁରନ୍ତ ଡାବୁଗାଁ ବନ ବିଭାଗକୁ ଖବର ଦେଇଥିଲେ।

ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗୋ ଓ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗାତ ମଧ୍ୟରେ ପ୍ରକୃତରେ ହେଟାବାଘ ଅଛି ନା ଅନ୍ୟ କୌଣସି ଜନ୍ତୁ ଅଛି ତାହା ଜଣା ପଡି ନ ଥିବାବେଳେ ବନ କର୍ମଚାରୀ ଗାତ ନିକଟରେ ଜନ୍ତୁ କୁ ଉଦ୍ଧାର କରିବା ପାଇଁ ଜଗି ରହିଛନ୍ତି। ଖବର ଲେଖା ହେବା ସୁଦ୍ଧା ଗାତ ମଧ୍ୟରୁ କୌଣସି ଜନ୍ତୁ ଉଦ୍ଧାର ହୋଇ ନ ଥିବା ବେଳେ କେନ୍ଦୁଗୁଡ଼ା ଓ ନିକଟ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧିତ ଖବର