କାଳିଆପାଣି: ସୁକିନ୍ଦା ତହସିଲ ବନ୍ଧଗାଁ ସର୍କଲ ଲେମ୍ବୋ ପଞ୍ଚାୟତ ଘାଗିଆ ଗାଁରେ ଗତକାଲି କାଳବୈଶାଖୀ ଝଡ଼ରେ ଗମିଆଁ ସିର୍କାଙ୍କ ଘରର ଛପର ଉଡ଼ି ଯାଇଥିଲା। ୨ ବଖୁରିଆ ଘରର ସବୁ ଆଜବେଷ୍ଟସ ଭାଙ୍ଗିଯିବା ସହ କାଠ ଶେଣି ଓ ଲୁହା ବରଗା ସବୁ ଭାଙ୍ଗି ମୋଡ଼ି ହୋଇଯାଇଛି। ଝଡ଼ ବେଳେ ଘରେ ଥିବା ଗମିଆଁ, ତାଙ୍କ ପତ୍ନୀ ଲତା ଓ ୬ ମାସର ଶିଶୁପୁତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସର୍ବସ୍ବାନ୍ତ ହୋଇ ଯାଇଥିବା କହନ୍ତି ଦିନ ମଜୁରିଆ ଗମିଆଁ।

Advertisment

ଝଡ଼ ପର ବର୍ଷାରେ ଘରେ ଥିବା ଖାଦ୍ୟଶସ୍ୟ, ଲୁଗାପଟା ଓ ଆସବାବପତ୍ର ନଷ୍ଟ ହୋଇଛି। ସରପଞ୍ଚ କଳ୍ପନା ପାତ୍ର ଆଜି ତାଙ୍କ ଘରେ ପହଞ୍ଚି ୨ଟି ପଲିଥିନ, ଚୁଡ଼ା, ବିସ୍କୁଟ୍‌ ଓ ଶୁଖିଲା ଖାଦ୍ୟ ପୁଡ଼ିଆ ଦେଇଛନ୍ତି। ପ୍ରଶାସନ ପକ୍ଷରୁ କେହି ପହଞ୍ଚିନଥିବା ଅଭିଯୋଗ ହୋଇଛି। ଗମିଆଁଙ୍କ ନାଁରେ ଜଙ୍ଗଲ ଜମି ପଟ୍ଟା ଥାଇ ମଧ୍ୟ ସେ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। କ୍ଷୟକ୍ଷତି ଆକଳନ ସହ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।