ସମ୍ବଲପୁର: ୟଙ୍ଗ ଟିଙ୍କର୍ ଏଜୁକେସନାଲ୍ ଫାଉଣ୍ଡେସନ୍ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ ଟିଙ୍କରସ୍ପେସ୍ ସ୍ଥାପିତ ହୋଇଛି। ଏହା ଉଦ୍ଭାବନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଗତ ୩୧ ଜୁଲାଇରେ ଭିସୁଟ୍‌ର ଆଇଡିଆ ଏବଂ ଇନୋଭେସନ୍ ସେଲ୍, ରୋବୋଟିକ୍ସ ସୋସାଇଟି, ଅଟୋମୋବାଇଲ୍ ସୋସାଇଟି, ପିକ୍ସେଲ ପରି ଅନେକ କ୍ଲବ ଏବଂ ସୋସାଇଟିର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ​​ୟଙ୍ଗ ଟିଙ୍କରର ଅନନ୍ୟ ଆଭିମୁଖ୍ୟର ଏକ ଅଂଶ ଭାବରେ ଛାତ୍ରଛାତ୍ରୀମାନେ ଟିଙ୍କରସ୍ପେସ୍ ଓ ୩ଡି ପ୍ରିଣ୍ଟର୍ ସ୍ଥାପନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହି ଅତ୍ୟାଧୁନିକ ପରୀକ୍ଷାଗାର ସ୍ଥାନ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇଥିବା ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ସଂଗଠନର ସିଇଓ ଅନୀଲ ପ୍ରଧାନ ଭିସୁଟ କୁଳପତି ପ୍ରଫେସର ବଂଶୀଧର ମାଝିଙ୍କୁ ଭେଟି ଏ ସଂକ୍ରାନ୍ତରେ ସ୍ୱୀକୃତିପତ୍ର ଦେଇଛନ୍ତି।

Advertisment

ଛାତ୍ରମାନଙ୍କ ମଧ୍ୟରେ ନବସୃଜନ ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, କଳା, ଏବଂ ଗଣିତ(ଷ୍ଟିମ୍‌) ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ୟଙ୍ଗ ଟିଙ୍କର୍ ଏଜୁକେସନାଲ୍ ଫାଉଣ୍ଡେସନର ଏହି ସ୍ୱୀକୃତିପତ୍ର ସହାୟକ ହେବ। ୟଙ୍ଗ ଟିଙ୍କର୍ ଦଳର ସଦସ୍ୟ ଅଭିଷେକ ଶୁକ୍ଲା ଏବଂ ଆଲୋକ ମହାନ୍ତି ଏହା ସ୍ଥାପନ ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। କୁଳପତି ପ୍ରଫେସର ବଂଶୀଧର ମାଝୀ କଲେଜକୁ ଅତ୍ୟାଧୁନିକ ଟିଙ୍କରସ୍ପେସ୍ ଆଣିବାରେ ଅତୁଳନୀୟ ଉଦ୍ୟମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ମେକାନିକାଲ୍ ସାଇନ୍ସ ବିଭାଗର ଡିନ୍ ପ୍ରଫେସର ଦେବଦତ୍ତ ମିଶ୍ର ଟିଙ୍କର୍ସପେସ୍‌କୁ ଭିସୁଟ୍ ବୁର୍ଲା ପାଇଁ ଏକ ମାଇଲଖୁଣ୍ଟ ଭାବରେ ପ୍ରଶଂସା କରିଥିଲେ। ପ୍ରଫେସର ମିଶ୍ର ମନ୍ତବ୍ୟ ଦେଇ କହିଛନ୍ତି, ୟଙ୍ଗ ଟିଙ୍କର୍ ସ୍ପେସ୍ ସୃଜନଶୀଳତା ଏବଂ ବ୍ୟବହାରିକ ଶିକ୍ଷଣ ପାଇଁ ଏକ ହବ୍ ଭାବରେ କାର୍ଯ୍ୟ କରିବ। ଏହା ଛାତ୍ରମାନଙ୍କୁ ସେମାନଙ୍କ ଭବିଷ୍ୟତ ବୃତ୍ତିରେ ଉତ୍କର୍ଷ କରିବା ପାଇଁ ଆବଶ୍ୟକ କୌଶଳ ଯୋଗାଇବ ବୋଲି ସେ କହିଛନ୍ତି।