ବଙ୍ଗୋମୁଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ; ବିଚ୍ ରାସ୍ତାରେ ଛୁରି ଭୁସି ୱେଲଡିଂ ମିସ୍ତ୍ରୀଙ୍କୁ ହତ୍ୟା

ଅଭିଯୁକ୍ତ ଅଟକ

ବଙ୍ଗୋମୁଣ୍ତା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୯ ଉପରେ ଥିବା ଭାଲୁମୁଣ୍ଡା ଗାଁରେ ବୁଧବାର ଜଣେ ୱେଲଡିଂ ମିସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ତାଙ୍କ ପେଟରେ ଧାରୁଆ ଅସ୍ତ୍ର ଭୁସି ଦିଆଯାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ କରୁଛି। ଦିନବେଳା ଏବଂ ବିଚ୍ ରାସ୍ତାରେ ଘଟିଥିବା ଏହି ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଗଣ୍ତାବାହାଲି ଗାଁର ଲାଲମନ କୈବର୍ତ୍ତ (୪୫ବର୍ଷ) ଜଣେ ୱେଲଡିଂ  ମିସ୍ତ୍ରୀ ଭାବେ ଭାଲୁମୁଣ୍ତାର ପୂର୍ଣ୍ଣ ମେହେର (୨୭)ଙ୍କ ଫେବ୍ରିକେସନ ଦୋକାନରେ ପୂର୍ବରୁ କାମ କରୁଥିଲେ। ଲାଲମନ ଜଣେ ଭଲ ମିସ୍ତ୍ରୀ ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ। ବହୁତ ଦିନ କାମ କଲା ପରେ ପୂର୍ଣ୍ଣଙ୍କ ଠାରୁ କାମ ଛାଡ଼ିଦେଇ ଅନ୍ୟତ୍ର କରିଥିଲେ।

ହଠାତ୍ ବୁଧବାର ଭାଲୁମୁଣ୍ତାର ଉକ୍ତ ସ୍ଥାନରେ ଫେବ୍ରିକେସନ ଦୋକାନୀ ପୂର୍ଣ୍ଣ ଓ ମିସ୍ତ୍ରୀ ଲାଲମନଙ୍କ ମୁହାଁମୁହିଁ ଭେଟ ହୋଇଥିଲା। ପୂର୍ବର କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ଣ୍ଣ ଏକ ଧାରୁଆ ଅସ୍ତ୍ର ଲାଲମନଙ୍କ ପେଟରେ ଭୁସି ଦେଇଥିଲା। ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ହୋଇ ଲାଲମନ ଟଳି ପଡ଼ିଥିଲେ।

ଖବର ପାଇ କଣ୍ଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ର, ବଙ୍ଗୋମୁଣ୍ଡା ଥାନାଧିକାରୀ ପଞ୍ଚାନନ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ  ପହଞ୍ଚି ତଦନ୍ତ କରିଥିଲେ। ଅଭିଯୁକ୍ତ ପୂର୍ଣ୍ଣକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ଲାଲମନଙ୍କ ସ୍ତ୍ରୀ ଓ ପିଲାଛୁଆ ରାୟପୁରରେ କାମଧନ୍ଦା କରୁଛନ୍ତି। ଲାଲମନ ଭାଲୁମୁଣ୍ଡା ଅଞ୍ଚଳରେ ମିସ୍ତ୍ରୀ କାମ କରି ରହୁଥିଲେ। ତାଙ୍କ ପରିବାର ଲୋକେ ରାୟପୁରରୁ ଓ ଆତ୍ମୀୟ ଲୋକେ ଗଣ୍ତାବାହାଲିରୁ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇ ହସ୍ତାନ୍ତର କରାଯିବ ବୋଲି ଏସଡିପିଓ କହିଛନ୍ତି।

ସମ୍ବନ୍ଧିତ ଖବର