ସୁନ୍ଦରଗଡ଼:, ସୁନ୍ଦରଗଡ଼ରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ବିଶେଷ କରି ରାଉରକେଲା ଓ ସୀମାନ୍ତ ବାଲିଶଙ୍କରା ବ୍ଲକରେ ସ୍ଥିତି ସଂଗୀନ। ବାଲିଶଙ୍କରା ବ୍ଲକକୁ ଲାଗି ରହିଥିବା ଛତିଶଗଡ଼ରେ କରୋନାରେ ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା ହୁହୁ ହୋଇ ବଢ଼ିଥିବା ବେଳେ ସୀମାକୁ ସିଲ୍ କରି ଦେଇଛି ପ୍ରଶାସନ। ତେବେ ଏସ୍ଥିତିରେ ଛତିଶଗଡ଼ ରାଜ୍ୟରୁ ଫେରୁଥିବା ସୁନ୍ଦରଗଡ଼ ଅଧିବାସୀ (ପ୍ରବାସୀ)ଙ୍କ ପାଇଁ ବ୍ଲକ୍ର ରାଉଲେଡେଗା ସେବାଶ୍ରମରେ ଅସ୍ଥାୟୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମସି) ଖୋଲାଯାଇଛି।

Advertisment

ଛତିଶଗଡ଼ରୁ ଆସୁଥିବା ଲୋକେ ସୀମାରେ ଚାଲିଥିବା ଯାଞ୍ଚରେ ୭୨ ଘଣ୍ଟା ମଧ୍ୟରେ କରାଯାଇଥିବା କରୋନା ନେଗେଟିଭ୍ ରିପୋର୍ଟ ନହେଲେ କୋଭିଡ୍ ଟିକାର ଦୁଇଟି ପାନ ନେଇଥିବାର ପ୍ରମାଣ ଦେଖାଇବା ପରେ ସେମାନଙ୍କୁ ଛଡ଼ାଯାଉଛି। ଏ ଦୁଇଟି ପ୍ରମାଣ ନଥାଇ ସୁନ୍ଦରଗଡ଼ ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ରାଉଲଡେଗା ଟିଏମସିରେ ୭ ଦିନ ପାଇଁ ସଂଗରୋଧରେ ରଖାଯିବ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ। ଏଥିପାଇଁ କେନ୍ଦ୍ରରେ ଶଯ୍ୟା, ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା କରାଯାଇଥିବା ବେଳେ କେନ୍ଦ୍ରକୁ ପ୍ରବାସୀ ଆସିବା ପରେ ଖାଦ୍ୟର ବ୍ୟବସ୍ଥା କରାଯିବ ବୋଲି ସେଠାକାର ସରପଞ୍ଚ ସୂଚନା ଦେଇଥିଲେ।

ଗଇଲୋ ଗ୍ରାମକୁ ୭ ଦିନିଆ ତାଲାବନ୍ଦ ଘୋଷଣା

ସବଡେଗା (ସୁନ୍ଦରଗଡ଼) କରୋନାର ଦ୍ବିତୀୟ ଲହରରେ ସବଡେଗା ବ୍ଲକ୍ ଯାଇସର ପଞ୍ଚାୟତ ଅନ୍ତର୍ଗତ ଗଇଲୋ ଗ୍ରାମରେ ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ସହ ବିଚାରବିମର୍ଷ କରିବା ପରେ ପଞ୍ଚାୟତ ସରପଞ୍ଚ ଗାଁକୁ ୭ ଦିନିଆ ତାଲାବନ୍ଦ ଘୋଷଣା କରିଛନ୍ତି। ୧୩ ତାରିଖ ସକାଳ ୬ଟାରୁ ୨୦ ତାରିଖ ଯାଏ ସକାଳ ୬ଟା ଯାଏ ଏହି କଟକଣା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସମସ୍ତ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ରଖିବା ଓ ଅତି ଜରୁରୀ କାମ ବ୍ୟତୀତ ଅନ୍ୟ କେହି ଘରୁ ନବାହାରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସହ ସଂକ୍ରମିତ ବ୍ୟକ୍ତି ସଂଗରୋଧରେ ରହି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରୁ ମିଳିଥିବା ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ କୁହାଯାଇଛି।