ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଫାଣ୍ଡି ଘେରାଉ

ବାଲିଅନ୍ତା: ବାଳକାଟି ହନୁମନ୍ତପାଟଣା ଗ୍ରାମରେ ଠାକୁର ଭୋଗ ଖାଇବାକୁ କେନ୍ଦ୍ରକରି ଘଟିଥିବା ଦୁଇଗୋଷ୍ଠୀ ସଂଘର୍ଷ ମାମଲା ଏବେ ଭିନ୍ନମୋଡ଼ ନେଇଛି। ଦୁଇଗୋଷ୍ଠୀଙ୍କ ବିରୋଧରେ ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୋଗକୁ ଭିତ୍ତିକରି ଗୋଟିଏ ପକ୍ଷର ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଗିରଫ ଗୋଷ୍ଠୀର ଅଭିଯୋଗକୁ ଭିତ୍ତିକରି ବିରୋଧି ପକ୍ଷର ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। କିନ୍ତୁ ପୁଲିସ ସେମାନଙ୍କୁ ଏଯାଏ ଗିରଫ କରିପାରିନି। ଅଭିଯୁକ୍ତମାନେ ଗ୍ରାମରେ ଖୁଲଂଖୁଲା ବୁଲୁଥିବା ବେଳେ ପୁଲିସ ସେମାନଙ୍କୁ କ’ଣ ପାଇଁ ଗିରଫ କରୁନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ନ୍ୟାୟ ପ୍ରଦାନ ଦାବିରେ ଆଜି ପୂର୍ବାହ୍ନରେ ଗିରଫ ଗୋଷ୍ଠୀର ମହିଳାମାନେ ଆାଜି ବାଳକାଟି ଫାଣ୍ଡି ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିରହିଥିଲେ।

ପୁଲିସ ଆର ଗୋଷ୍ଠୀର ଅଭିୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ନେଇ ପଦକ୍ଷେପ ଗ୍ରହଣ କରିବା ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ତୁରନ୍ତ ଧାରଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବା ପରେ ଯାଇ ପରିସ୍ଥିତି ଶାନ୍ତ ପଡ଼ିଥିଲା। ନିରପେକ୍ଷ ନ୍ୟାୟ ପ୍ରଦାନ କରାଯିବ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ପଞ୍ଚୁଦୋଳ ମେଲଣ ଅବସରରେ ହନୁମନ୍ତପାଟଣା ଗ୍ରାମରେ ଦିଅଁ ଭୋଗ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଦୁଇଗୋଷ୍ଠୀ ପରସ୍ପରକୁ ଠେଙ୍ଗାବାଡ଼ି ଓ ଶାବଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଉଭୟ ପକ୍ଷରୁ ଏକାଧିକ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର