ଖୋର୍ଦ୍ଧା: ରାଜ୍ୟରେ ଖୋର୍ଦ୍ଧା ଅନ୍ୟତମ ବାତ୍ୟା ପ୍ରଭାବିତ ଜିଲ୍ଲା। ୨୦୧୮ ତିତିଲି, ୨୦୧୯ ଫନି ଓ ୨୦୨୦ ଅମ୍ଫାନ୍ରେ ଖୋର୍ଦ୍ଧା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା। ୨୦୨୧ରେ ଖୋର୍ଦ୍ଧା ଜିଲ୍ଲା ବାତ୍ୟା ପ୍ରଭାବରୁ ଆପାତତଃ ମୁକ୍ତ ଥିବା ବେଳେ ଚଳିତବର୍ଷ ପୁଣିଥରେ ଆଉ ଏକ ବାତ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୌଣସି ପ୍ରସ୍ତୁତି ବୈଠକ ହୋଇନଥିଲେ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ପାଇଁ ନିର୍ବାହୀ ଅଧିକାରୀ, ବିଡିଓ, ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ୨୦୧୮ ଅକ୍ଟୋବର ମାସରେ ହୋଇଥିବା ତିତିଲି ବାତ୍ୟା ପ୍ରଭାବରେ ଜିଲ୍ଲାର ୯ଟି ବ୍ଲକର ୮୦ଟି ପଞ୍ଚାୟତ, ବାଲୁଗାଁ ଓ ବାଣପୁର ଦୁଇଟି ଏନ୍ଏସି ପ୍ରଭାବିତ ହୋଇଥିଲେ। ଏହି ସମୟରେ ୩୭୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୧୨ ହଜାର ହେକ୍ଟର ଚାଷ ଜମି ୩୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୯ ମଇ ୩ ତାରିଖରେ ସଂଘଟିତ ଫନି ବାତ୍ୟାରେ, ୧୯୦ଟି ପଞ୍ଚାୟତର ୧୬୬୯ଟି ଗାଁ ଓ ଭୁବନେଶ୍ୱର ମହାନଗର ନିଗମ ସହ ସମସ୍ତ ପୌରାଞ୍ଚଳରେ ବ୍ୟାପକ କ୍ଷତି ହୋଇଥିଲା। ୧ଲକ୍ଷ ୩୦ ହଜାର ଘର ଭାଙ୍ଗି ଯାଇଥିବା ବେଳେ ୧ଲକ୍ଷ ୧୪ହଜାର ୫୦୦ଜଣ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଥିଲେ। ୨୦୨୦ ଅମ୍ଫାନ୍ରେ ଖୋର୍ଦ୍ଧା ଜିଲ୍ଲାରେ କ୍ଷତିର ପରିମାଣ ସାମନ୍ୟ ହୋଇଥିଲେ ମଧ୍ୟ ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ୱର ବ୍ଲକରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା। ପୁଣିଥରେ ଗୋଟିଏ ବର୍ଷର ଅନ୍ତରାଳେ ଚଳିତ ବର୍ଷ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2022/05/2019-fani-cyclone-file-photo-2.jpg)
ଏନେଇ ରାଜ୍ୟ ରିଲିଫ୍ କମିଶନ ଆବଶ୍ୟକ ପ୍ରସ୍ତୁତି ପାଇଁ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ନିର୍ଦେଶାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ତଳସ୍ତରର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସପଟ୍ଟନାୟକ କହିଛନ୍ତି ଯେ ବାତ୍ୟାର ଗତିପଥ ପ୍ରାୟତଃ ସ୍ପଷ୍ଟ ହୋଇନାହିଁ। କିନ୍ତୁ, ରାଜ୍ୟ ରିଲିଫ୍ କମିଶନଙ୍କ ନିର୍ଦେଶାନୁସାରେ, ଜିଲ୍ଲାର ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜିଲ୍ଲାର ବହୁମୁଖି ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକକୁ ଯାଂଚ କରି ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ୧୯୭ ଉଚ୍ଚ ବିଦ୍ୟାଳୟ, ୧୧୨୯ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ସହ ୫୧ଟି ମଧ୍ୟ ଆବଶ୍ୟକ ପଡ଼ିଲେ ବ୍ୟବହାର କରାଯିବ। ବାତ୍ୟା ମୁକାବିଲା ନେଇ ପ୍ରଶାସନ ସଜାଗ ରହିଛି, ରିଲିଫ କମିଶନଙ୍କ ନିର୍ଦେଶାନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦାସପଟ୍ଟନାୟକ କହିଛନ୍ତି।