ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଦୋକାନବଜାର ସଂଖ୍ୟା ବଢ଼ିବାରେ ଲାଗିଛି। ଗ୍ରାହକମାନେ ମଧ୍ୟ ଅନେକ ସମୟରେ ସାମଗ୍ରୀ କିଣାବିକା ବେଳେ ଠକାମୀର ଶିକାର ହେଉଥିବା ଘଟଣା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଦୋକାନୀଙ୍କ ଠାରୁ ସାମଗ୍ରୀ କିଣିବା ସମୟରେ ବୈଧ ରସିଦ ଦାବି କରିବାକୁ ଆଜି ଜିଲ୍ଲା ଖାଉଟି ପରିଷଦର ପ୍ରଥମ ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଗୁରୁତ୍ୱ ଦେବାସହ ଏନେଇ ବ୍ୟାପକ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଜିଲ୍ଲାର କ୍ରୟ ବିକ୍ରୟ, ଖାଉଟି ପରିଷଦର କାର୍ଯ୍ୟ ଆଦି ସମ୍ପର୍କରେ ସୂଚନା ଦେଇଥିଲେ।
ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ନିଜର ପରାମର୍ଶରେ ଖାଉଟି ଆଇନ ନେଇ ସହରର ନାଗରିକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନେଇ ପଦକ୍ଷେପ ନେବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡ଼ା ମୁର୍ମୁ, ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ, ଓଜନ ଓ ମାପ ଅଧିକାରୀ, ଭାରତୀୟ ତୈଳ ନିଗମ ପ୍ରତିନିଧି, ଓକିଲ ସଂଘର କର୍ମକର୍ତା, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।