ଖୋର୍ଦ୍ଧା: ଖୋର୍ଦ୍ଧା ସହର ନିକଟରେ ଥିବା କାଇପଦର ପୀର ପୀଠକୁ ସଂଯୋଗ କରୁଥିବା ରାସ୍ତା ଉପରୁ ଜବରଦଖଲ ହଟାଇବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ପୂର୍ବାହ୍ନରେ କାଇପଦର ପୀର ସମାଧୀସ୍ଥଳ ପରିଚାଳନା କମିଟିର କର୍ମକର୍ତ୍ତା ଓ କେତେକ ସ୍ଥାନୀୟ ବାସିନ୍ଦା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ। ସମାଧୀସ୍ଥଳକୁ ସଂଯୋଗ କରୁଥିବା ରାସ୍ତାରୁ ବେଆଇନ ଜବରଦଖଲ ହଟାଇବା ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କୁ ପ୍ରଦାନ କରିଥିଲେ। କାଇପଦର ସରପଞ୍ଚ ରାଜଶ୍ରୀ ଚମ୍ପତିରାୟ, ଯୋଗୀନାଥ ବାହୁବଳେନ୍ଦ୍ର, ନାସିରୁଦ୍ଦୀନ ଖାନ୍ ପ୍ରମୁଖଙ୍କ କହିବା କଥା ହେଲା ହାଲ ଚକବନ୍ଦୀ ଅନୁସାରେ ସାଆନ୍ତା ମୌଜାରେ ଥିବା ଖାତା ନଂ-୫୬୧ ସର୍ବସାଧାରଣ ରାସ୍ତା, ପ୍ଲଟ ନଂ ୧୨୭୭ ରକବା-କରେ ଥିବା ୦.୦୪୦ ଡେସିମଲ ଜାଗାରେ ପୀରଙ୍କ ସମାଧୀସ୍ଥଳ, ପ୍ଲଟ ନଂ ୧୨୭୮ ରକବା-କରେ ଥିବା ୦.୦୭୫ ଡେସିମଲ ଜାଗା ରାସ୍ତା ଅଟେ।
ଏହି ସମସ୍ତ ଜାଗା ସମାଧୀସ୍ଥଳ ସଂଲଗ୍ନ ଅଞ୍ଚଳ ଅଟେ। କିନ୍ତୁ ଏହି ରାସ୍ତା ଗୁଡ଼ିକରେ କେତେକ ବ୍ୟକ୍ତି ଜବରଦଖଲ କରି ଦୋକାନଘର ନିର୍ମାଣ କରିଛନ୍ତି। ଏହାଦ୍ୱାରା ସମାଧୀସ୍ଥଳକୁ ଯିବାଆସିବା କରିବାରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ସେହିଭଳି ଖାତା ନଂ- ୫୧୩, ପ୍ଲଟ ନଂ ୧୨୭୫ର ରକବା-କର ୦.୧୧୫ ଡେସିମଲରେ ଥିବା ମସଜିଦ ଅଞ୍ଚଳ ନିର୍ଦ୍ଦିଷ୍ଟ ମୁସଲମାନ ବାସିନ୍ଦା ରକ୍ଷଣାବେକ୍ଷଣ କରିଆସୁଛନ୍ତି। କିନ୍ତୁ ଗ୍ରାମ କମିଟି ପକ୍ଷରୁ ଉକ୍ତ ରାସ୍ତାକୁ ମାଟି ପକାଇ ଦୋକାନ ଘର ଗୁଡ଼ିକର ସ୍ଥାନାନ୍ତର କରିବା ଯୋଜନା କରାଯାଇଛି। ଏହାକୁ ସମାଧୀସ୍ଥଳ କମିଟି ବିରୋଧ କରୁଛନ୍ତି। ପୂର୍ବରୁ ଅନେକ ଥର ଜବରଦଖଲ ହଟାଇବା ପାଇଁ ଜିଲ୍ଲାପାଳ ଓ ପୁଲିସ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଜବରଦଖଲ ହଟାଇବା ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସମାଧୀସ୍ଥଳର ସୌନ୍ଦର୍ଯ୍ୟକରଣ ପାଇଁ ଜବରଦଖଲ ହଟାଇବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି।