ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷତିଗ୍ରସ୍ତ, ଚାଷୀଙ୍କୁ କ୍ଷତିପୂରଣ ଦାବି 

ଖୋର୍ଦ୍ଧା: ଗତ ୧ ମାସ ମଧ୍ୟରେ ଦୁଇଟି ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି। ଏହାଦ୍ୱାରା ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଆଜି ଖୋର୍ଦ୍ଧା କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ଖୋର୍ଦ୍ଧା କୃଷକ ସଭାର ଏକ ପ୍ରତିନିଧି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଥିଲେ। ଦାବିପତ୍ର ସମ୍ପର୍କରେ ସଭାର ଜିଲ୍ଲା ସମ୍ପାଦକ ଅନନ୍ତ ମଙ୍ଗରାଜ କହିଛନ୍ତି ଯେ ଲଘୁଚାପ ଓ ବାତ୍ୟାଜନିତ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଫସଲର ସଠିକ ଆକଳନ କରି ଚାଷୀ ଓ ଭାଗଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବା, କୃଷି ଋଣ ଛାଡ଼ କରିବା ଆଦି ୬ ଦଫା ଦାବି ଦିଆଯାଇଛି।

ତେବେ ଆଲୋଚନାରେ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର କହିଛନ୍ତି ଯେ ଆସନ୍ତ ୭ ଦିନ ମଧ୍ୟରେ ଚାଷ ଜମିରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ତହସିଲଦାର ମାନଙ୍କୁ ସେ ନିର୍ଦେଶ ଦେଇଛନ୍ତି। ୧୪ ତାରିଖ ମଧ୍ୟରେ ତହସିଲଦାର ମାନେ ରିପୋର୍ଟ ଦେବା ପରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ତେବେ ଏଥିରେ ବ୍ୟତିକ୍ରମ ହେଲେ ସଭା ଆନ୍ଦୋଳନକୁ ଓହ୍ଲାଇବ। ଆଜିର ଏହି ଦାବିପତ୍ର ପ୍ରଦାନରେ ଅନ୍ୟମାନଙ୍କ ମଧ୍ୟରେ ସିଟୁ ଜିଲ୍ଲା କମିଟି ସମ୍ପାଦକ ଶୈଳେଶ କୁମାର ବଳିଆରସିଂହ, ବାଲୁଙ୍କେଶ୍ୱର ପରିଡ଼ା, କିଶୋର ଚନ୍ଦ୍ର ପରମଗୁରୁ, ଦୁର୍ଗାପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର