କେନ୍ଦ୍ରାପଡ଼ାର ଦାଦନ ଦୁବାଇରେ ବନ୍ଧା, ଉଦ୍ଧାର ପାଇଁ ନିବେଦନ କଲେ ଯୁବକ

କେନ୍ଦ୍ରାପଡ଼ା: ‘ଖାଇବାକୁ କିଛି ନାହିଁ। ସପ୍ତାହ ହେଲାଣି ବିସ୍କୁଟ୍‌ ଖାଇ ବ˚ଚିଛୁ। ଏବେ ଘରୁ ବାହାରି ଯିବାକୁ ଧମକାଉଛନ୍ତି। ସୋମବାର ଯାଏ ସମୟ ଦେଇଛନ୍ତି, ଘରୁ ନ ବାହାରିଲେ ତଣ୍ଟିଆ ମାରି ବାହାର କରିଦେବେ ବୋଲି ନାଲିଆଖି ଦେଖାଇଛନ୍ତି। କ’ଣ କରିବୁ, କିଛି ବୁଦ୍ଧିବାଟ ଦିଶୁନି…।’-ଇଏ ହେଉଛି ଦୁବାଇରେ ବନ୍ଧା ପଡ଼ିଥିବା କେନ୍ଦ୍ରାପଡ଼ାର ଜଣେ ଦାଦନ ଯୁବକର ଦୁଃଖଭରା କାହାଣୀ। ଦଲାଲର ମହୁବୋଳା କଥାରେ ଅଧିକ ରୋଜଗାର ଆଶାରେ ସୁଦୂର ଦୁବାଇ ଯାଇ ଫସି ଯାଇଥିବା ଏହି ଯୁବକ ଜଣକ ହେଉଛନ୍ତି ମହାକାଳପଡ଼ା ବ୍ଲକ୍‌ ପେଟଛେଲା ପଞ୍ଚାୟତ ବଜରପୁର ଗ୍ରାମର ଉମାକାନ୍ତ ସ୍ବାଇଁ(୨୪)। ଘରକୁ ଫେରିବାକୁ ଚେଷ୍ଟା କରି ମଧୢ ଆସି ପାରୁନାହାନ୍ତି। ଭୁବନେଶ୍ବରସ୍ଥିତ ଯେଉଁ କ˚ପାନି ଜରିଆରେ ଦୁବାଇ ଯାଇଥିଲେ, ସେହି କ˚ପାନି ପାସପୋର୍ଟ ଦେଉ ନାହିଁ। ତେଣୁ ଏଠିକାର କ˚ପାନି ଆମକୁ ଛାଡ଼ୁନାହିଁ କି’ କାମ ବି ଦେଉନାହିଁ। ଭୋକଉପାସରେ ଦିନ କଟୁଛି ବୋଲି କୋହଭରା କଣ୍ଠରେ ଉମାକାନ୍ତ କହିବା ସହିତ ତାଙ୍କୁ ଏଠାରୁ ଉଦ୍ଧାର କରିବାକୁ ପ୍ରଶାସନ ପାଖେ ଆକୁଳ ନିବେଦନ କରିଛନ୍ତି। ଉମାକାନ୍ତଙ୍କ କହିବାନୁଯାୟୀ, ଭୁବନେଶ୍ବରସ୍ଥିତ ଏକ କ˚ପାନି ଜରିଆରେ ତାଙ୍କୁ ଏଠାକୁ ଅଣାଯାଇଥିଲା। ରାଜନଗରର ଜଣେ ଯୁବକ ବି ତାଙ୍କ ସହିତ ଆସିଥିଲେ। ଏକ କ˚ପାନିରେ ମୋଟା ଅଙ୍କର ଦରମାରେ କାମ ମିଳିବ ବୋଲି କୁହା ଯାଇଥିଲା। ଗତ ୬ ତାରିଖରେ ଦୁବାଇରେ ପହଞ୍ଚିଥିଲୁ। ଏଠାରେ ଆସି ପହଞ୍ଚିବା ପରେ ଜଣେ ଠିକାଦାରଙ୍କ ଅଧିନରେ କାମ କରିବାକୁ କୁହାଗଲା। ବାଧୢ ହୋଇ କାମ କଲୁ।

ତିନି ଦିନ ପରେ କ˚ପାନି ଆଉ କାମ ଦେଲା ନାହିଁ। ରାସନ ଆଣିବାକୁ ଯେଉଁ ମଲ୍‌ରେ ଖାତା ଖୋଲାଯାଇଥିଲା, ତାହାକୁ ବି ବନ୍ଦ କରି ଦିଆଯାଇଛି। ଫଳରେ ଗଲା ସପ୍ତାହ ହେବ ବିସ୍କୁଟ୍‌ ଖାଇ ବ˚ଚିଛୁ। ରାସନ୍‌ ଆଣିବାକୁ ପାଖରେ ପଇସା ନାହିଁ। ଘରୁ ଯେତିକି ପଇସା ନେଇ ଆସିଥିଲୁ, ତାହା ସରିବା ଉପରେ। ତେଣୁ ଘରକୁ ଯିବାକୁ କହିଲା ବେଳକୁ ପାସପୋର୍ଟ ନାହିଁ। ଭୁବନେଶ୍ବର କ˚ପାନି ପାସପୋର୍ଟ ଦେଲେ ଏଠାରୁ ଯିବ ବୋଲି ସ˚ପୃକ୍ତ କ˚ପାନି କହୁଛି। ଯାହା ଜରିଆରେ ଏଠାକୁ ଆସିଥିଲୁ, ସେ ଫୋନ୍‌ ଉଠାଉନାହିଁ। ଶତାଧିକ ମେସେଜ୍‌ ତାଙ୍କ ପାଖକୁ ପଠାଇ ସାରିଲିଲି। ହେଲେ ଉତ୍ତର ମିଳୁନି। ଏଭଳି ସ୍ଥିତିରେ କ’ଣ କରିବୁ, କିଛି ଜାଣିପାରୁନାହୁଁ ବୋଲି ଉମାକାନ୍ତ କାନ୍ଦି କାନ୍ଦି କହିଛନ୍ତି। ଉମାକାନ୍ତ ଆହୁରି କହିଛନ୍ତି ଯେ ଏଠାକୁ ଆସିବା ପାଇଁ ଭୁବନେଶ୍ବର କ˚ପାନି ଆମଠାରୁ ୭୫ହଜାର ଟଙ୍କା ନେଇଛି। ଧାର କରଜ କରି ଏହି ଟଙ୍କା ଦେଇଥିଲୁ। ଏହାପରେ ବି ଆମର ୧୫ହଜାର ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏଠାକୁ ଆସିବା ପରେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଲୁ। ମୋ ଭଳି ଆହୁରି ଅନେକ ପିଲା ଏଭଳି ଠକେଇର ଶିକାର ହୋଇଛନ୍ତି। ଅଳ୍ପ ଦରମାରେ ଦଶ ବାର ଘଣ୍ଟା ଲେଖାଏଁ କାମ କରିବାକୁ କୁହାଯାଉଛି। ପେମେଣ୍ଟ୍‌ ବି ଠିକ୍‌ ସମୟରେ ମିଳୁନାହିଁ। ପ୍ରାପ୍ୟ ମାଗିଲେ ମାଡ଼ ମରାଯାଉଛି ବୋଲି ଉମାକାନ୍ତ ଅଭିଯୋଗ କରିବା ସହିତ ପ୍ରଶାସନ ଘଟଣାରେ ହସ୍ତକ୍ଷେପ କରି ଏଠାରୁ ଆମକୁ ଉଦ୍ଧାର କରିବା ପାଇଁ ଉମାକାନ୍ତ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର