ଡେରାବେଶ: ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସଂସ୍କୃତି ‌ଓ ପରମ୍ପରାକୁ ବଞ୍ଚାଇବାର ପ୍ରୟାସ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଘୁମୁସର ମାଟିର କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ନିଜର ଐତିହ୍ୟ ଏବଂ ଲୋକକଳାକୁ‌ ନେଇ ଏହି ମାଟି ସାରା ବିଶ୍ବରେ ପରିଚିତ ହୋଇଥିବା ବେଳେ ଏହା ମଧ୍ୟରେ‌ ବଡ଼କୋଦଣ୍ଡା ଗ୍ରାମର ଡ଼େରାବେଶ ତଥା ପଶୁମୁଖା ପ୍ରର୍ଦଶନ ଅନନ୍ୟ। ପ୍ରତିବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ଡେରା ବେଶ ଉତ୍ସବ ଅନୁଷ୍ଠିତ ହୋଇଥାଏ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଗ୍ରାମକୁ ସୁନ୍ଦର ଭାବେ ସଜାଇ ଜଗନ୍ନାଥ ମନ୍ଦିର ଠାରୁ ଗୋପୀନାଥ ମନ୍ଦିର ଯାଏଁ ପ୍ରାୟ ଏକ କିମି ବଡ ଦାଣ୍ଡରେ ବିଭିନ୍ନ ପଶୁ ମାନଙ୍କ ବଡ଼ବଡ଼ ପ୍ରତିକାତ୍ମକ କଣ୍ଢେଇ ଗୁଡିକୁ ରାସ୍ତା ଉପରେ ସଜାଇ ରଖାଯାଇଥାଏ। ଆଖପାଖ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଏହି ଦିନ ବଡକୋଦଣ୍ଡା ଗ୍ରାମକୁ ସୁଅ ଛୁଟୁଥାଏ। ବିଗତ ବର୍ଷ କରୋନା କଟକଣା ପାଇଁ କେବଳ ମନ୍ଦିର ଭିତରେ ରୀତିନୀତି ସମ୍ପନ୍ନ କରାଯାଇଥିବା ବେଳେ ଚଳିତବର୍ଷ ଧୂମଧାମରେ ପାଳନ କରାଯାଇଛି। ସଂପୂର୍ଣ୍ଣ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଥିବା ବ‌େଳେ କଳା ଓ କଳାକାର ମାନଙ୍କ ନିଖୁଣତା ବଡଦାଣ୍ଡରେ ପସରା ମେଳିଥିବା ଦେଖିବାକୁ ମିଳିଥିଲା।

ପାରମ୍ପରିକ ପଶୁମୁଖା ନୃତ୍ୟକୁ ନେଇ ଏହି ଗ୍ରାମର ପରିଚିତ ରହିଥିବା ବେଳେ ଏହି ଗ୍ରାମର ଶତାଧିକ କଳାକାର ଏହି ନୃତ୍ୟ ମାଧ୍ୟମରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। କରୋନା ମାହାମାରୀ ସେହି କଳାକାର ମାନଙ୍କ ରୋଜଗାର ଛଡାଇ ନେଇଛି। ପାରମ୍ପରିକ କଳାକୁ ବହନ କରି ପ୍ରତିବର୍ଷ ଗ୍ରାମର ବଡ଼ ଦାଣ୍ଡରେ ଆର୍କଷଣୀୟ ଢଙ୍ଗ ‌ଓ ସାଜସଜ୍ଜାରେ ପଶୁମୁଖା କଳାର ଚରିତ୍ର ମାନଙ୍କୁ ପ୍ରର୍ଦଶନ କରାଯାଉଛି। କାର୍ତ୍ତିକ ପୂର୍ଣ୍ଣିମାର ଡେରାବେଶ ବାସ୍ତବରେ ଏହା କଳା ସଂସ୍କୃତିର ପ୍ରଚାର ପ୍ରସାରର ଶ୍ରେଷ୍ଠ ବାର୍ତ୍ତାବହ। ଏହି ଡେରା ବେଶରେ ହାତୀ, ମହାବଳ ବାଘ, ଧଳାବାଘ, ଘୋଡା, କଳ ଘୋଡା, ସିଂହ, ବୃଷଭ, ହରିଣ, ମୟୁର, ଚଇତି ଘୋଡା, ନବ ଗୁଞ୍ଜର ଭଳି ବଡବଡ କଣ୍ଢେଇ ଗୁଡ଼ିକୁ ରାସ୍ତା ଉପରେ ଠିଆ ହୋଇଛନ୍ତି।

Sambad

ଏଥିସହ ଗୋଟିଏ ମନ୍ଦିର ପାର୍ଶ୍ବରେ ରାମ, ଲକ୍ଷ୍ମଣ, ହନୁମାନ ଏବଂ ଅନ୍ୟ ମନ୍ଦିର ପାଖରେ ରାବଣ, କୁମ୍ଭକର୍ଣ୍ଣର ବିଶାଳ କଣ୍ଢେଇ ରଖାଯାଇ ରାମାୟଣ ଯୁଦ୍ଧର ଏକ ପ୍ରତିକାତ୍ମକ ଚିତ୍ର ସୃଷ୍ଟି କରାଯାଇଛି। ଯାହାକି ଗ୍ରାମକୁ ଆସୁଥିବା ଭକ୍ତ ମାନଙ୍କ ମଧ୍ୟରେ ପୌରାଣିକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଥିଲା। ଏଥିସହ ଗ୍ରାମରେ ଥିବା ବିଭିନ୍ନ ମନ୍ଦିର ବୁଲିବା ସହ ମନ୍ଦିର ଗୁଡ଼ିକରେ ନିର୍ମାଣ ହୋଇଥିବା କଳାକୃତି ଶ୍ରଦ୍ଧାଳୁ ମାନଙ୍କୁ ବେଶ୍‌ ଆର୍କଷିତ କରିଛି। ଏହାଦ୍ବାରା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଏହି ଡେରା ବେଶ ପଞ୍ଚୁକରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଉଦ୍‌ଯାପିତ ହୋଇ ଆସୁଛି। ଏହି ଅବସରରେ ଗ୍ରାମରେ ନାମ ସଂକୀର୍ତ୍ତନ, ଯଜ୍ଞ ଆଦି ଅନୁଷ୍ଠିତ କରାଯାଇଛି। ଆଧ୍ୟାତ୍ମିକ ଚେତନା ସହ ଘୁମୁସର ମାଟିର ବିରତ୍ବର ସ୍ମୃତି ଚାରଣ ପାଇଁ ଏହି ପରମ୍ପରା ‌କାହିଁ କେଉଁ କାଳରୁ ହୋଇ ଆସୁଥିବା ବେଳେ ମାନବ ସମାଜ ମଧ୍ୟରେ ସଂସ୍କୃତିକ ଚେତନା ସୃଷ୍ଟି କରି କଳାକୁ ବଞ୍ଚାଇ ରଖିବାର ଏକ ପ୍ରୟାଶ ‌ଜାରି ରହିଛି। ବର୍ତ୍ତମାନ କଳା ଓ କଳାକାର ମାନେ ପ୍ରତିକୂଳ ପରିସ୍ଥିତିରେ ଆଗାମୀ ଦିନରେ ଏହି କଳାର ଭବିଷ୍ୟତ କଣ ହେଉଛି ତାହା ସମୟ ଉପରେ ନିର୍ଭର ହୋଇପଡିଛି।

ସମ୍ବନ୍ଧିତ ଖବର