ସୋସିଆଲ୍‌ ମିଡିଆରେ ବିଜ୍ଞାପନ ଦେଖି ଠକିଗଲେ

ଯୁବ ବ୍ୟବସାୟୀ ହରାଇଲେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ବାରିପଦା: ସୋସିଆଲ୍‌ ମିଡିଆରୁ ଏକ ନାମିଦାମୀ ବ୍ରାଣ୍ଡ ଜୋତା କଂପାନିର ବିଜ୍ଞାପନ ଦେଖି ଠକିଯାଇଛନ୍ତି ବାରିପଦାର ଯୁବ ବ୍ୟବସାୟୀ ବିକାଶ କୁମାର ସାହା। କଂପାନିର ଫ୍ରାଞ୍ଚାଇଜ୍ ନେବା ପାଇଁ ଆକାଉଣ୍ଟରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜମା କରିବା ପରେ ଏବେ ସେ କଂପାନିର ପତ୍ତା ମିଳୁନି। ଏହା ଏକ ଜାଲ୍‌ ସଂସ୍ଥା ବୋଲି ଜାଣିବା ପରେ ବିକାଶଙ୍କ ମୁଣ୍ଡରେ ବଜ୍ର ପଡ଼ିଛି।

ବାରିପଦା ସାଇବର ଥାନାରେ ବିକାଶ କରିଥିବା ଅଭିଯୋଗ ମୁତାବକ, ଫେସ୍‌ବୁକ୍‌ରେ ଶ୍ରୀଲେଦର୍‌ ଜୋତା କମ୍ପାନିର ବିଜ୍ଞାପନ ଦେଖିବା ପରେ ସେ ଉକ୍ତ କଂପାନିର ଫ୍ରାଞ୍ଚାଇଜ୍‌ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଥିପାଇଁ ଫେସ୍‌ବୁକ୍‌ରେ ଥିବା ଲିଙ୍କ୍‌ ଓ ନମ୍ବରରେ ଯୋଗାଯୋଗ କରିବାରୁ ଅନ୍‌ଲାଇନ୍‌ ଆବେଦନ ପାଇଁ ୨୫ ହଜାର ୯୬୦ ଟଙ୍କା, ବ୍ୟାବସାୟିକ ବୁଝାମଣା ଚୁକ୍ତି ବାବଦରେ ୧ ଲକ୍ଷ ୨୫ ହଜାର ୮୦୦ ଟଙ୍କା, ସ୍ଥାନ ଓ ଭିତ୍ତିଭୂମି ପାଇଁ ୧ ଲକ୍ଷ ୩୭ ହଜାର ୮୦୦ ଟଙ୍କା, ପ୍ରଥମ ପର୍ଯ୍ୟାୟ ଜୋତା ପାଇଁ ୫ ଲକ୍ଷ ଓ ସୋ’ରୁମ୍‌ରେ କମ୍ପ୍ୟୁଟର ଓ ଆସବାବପତ୍ର ପାଇଁ ୨ ଲକ୍ଷ ୫୫ ହଜାର ୮୦୦ ଟଙ୍କା ଜମା କରିବାକୁ କୁହାଯାଇଥିଲା।

ତଦନୁଯାୟୀ ବିକାଶ ଗତ ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ସବୁ ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟ, ଭାଇଙ୍କ ଆକାଉଣ୍ଟ ଓ ପତ୍ନୀଙ୍କ ଆକାଉଣ୍ଟରୁ ଉକ୍ତ କଂପାନିର ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଓ ଉଦ୍‌ଜୀବନ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। ତେବେ ଟଙ୍କା ପୈଠ କରିବାର ୨ ମାସ ଯାଏ କଂପାନି ପକ୍ଷରୁ କୌଣସି ଯୋଗାଯୋଗ ନହେବାରୁ ସେ କଲିକତାସ୍ଥିତ ଶ୍ରୀଲେଦର୍‌ କଂପାନିର ମୁଖ୍ୟାଳୟକୁ ଯାଇ ଯୋଗାଯୋଗ କରିବାରୁ ଏହି ସବୁ ବ୍ୟାଙ୍କ ଆକାଉଣ୍ଟ ଓ ଠିକଣା ଜାଲ୍‌ ବୋଲି ଜାଣିବାକୁ ପାଇଥିଲେ।

ଠକାମୀର ଶିକାର ହୋଇଥିବା ଜାଣିବା ପରେ ବିକାଶ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ସାଇବର ଅପରାଧ ଅନୁସନ୍ଧାନ ଶାଖାକୁ ଲିଖିତ ଆକାରରେ ଜଣାଇଥିଲେ। ସେଠାରୁ ତାଙ୍କ ଅଭିଯୋଗକୁ ବାରିପଦା ଟାଉନ୍‌ ଥାନାକୁ ପଠାଇ ଦିଆଯାଇଥିଲା। ତେବେ ସାଇବର ଠକେଇର ତଦନ୍ତ ପାଇଁ ବାରିପଦାରେ କୌଣସି ବ୍ୟବସ୍ଥା ନଥିବାରୁ ତାଙ୍କୁ ଭୁବନେଶ୍ୱର ଯାଇ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ଗତ ମାସରେ ବାରିପଦାରେ ସାଇବର ଥାନା ଖୋଲିବା ପରେ ସେ ଏଠାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ବାରିପଦା ସାଇବର ଥାନାରେ ନଂ ୧/୨୨ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର