ଲଘୁ ଖଣିଜ ଟେଣ୍ଡରକୁ ରଦ୍ଦ କଲେ ଜିଲ୍ଲାପାଳ, ଏଥିରେ ସଂପୃକ୍ତ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବହୁ ଚର୍ଚ୍ଚିତ ଲଘୁ ଖଣିଜ ଟେଣ୍ଡର ଫିକ୍ସିଂର ନିଷ୍ପତ୍ତି ଆସିଛି। ୭ଟି ବ୍ଲକର ମୋଟ୍‌ ୪୮ଟି ଲଘୁ ଖଣିଜ ଟେଣ୍ଡରକୁ ସଂପୂର୍ଣ୍ଣ ରୂପେ ରଦ୍ଦ କରିଛନ୍ତି ଜିଲ୍ଲାପାଳ ବିଶାଲ ସିଂହ। ଏଠାରେ ସୂଚନା ଯୋଗ୍ୟ ଯେ, ଲଘୁ ଖଣିଜର ଟେଣ୍ଡର ପ୍ରକ୍ରିୟାର ଅନିୟମିତିତା ହୋଇଥିବା ନେଇ ସେତେବେଳେ କଂଗ୍ରେସ ଅଭିଯୋଗ କରିଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ ତତ୍କାଳୀନ ଜିଲ୍ଲାପାଳ ୟେଦୁଲା ବିଜୟ ସମସ୍ତ ଟେଣ୍ଡର ବାକ୍ସକୁ ନିଜ ଘରେ ତିନିଦିନ ରଖି ହେରଫେର କରିଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏଥିସହ ଆନ୍ଧ୍ରର ଏକ କମ୍ପାନୀର ମାଲିକ ଭେଣୁଗୋପାଲଙ୍କୁ ୭ଟି ଖଣି ବେନିୟମ ଭାବେ ପ୍ରଦାନ କରାଯାଇଥିଲା। ଯାହାର ତଦନ୍ତ କରିବା ନେଇ ଦାବି ହୋଇଥିଲା। ତେବେ ତତ୍କାଳୀନ ଜିଲ୍ଲାପାଳ ଭେଣୁଗୋପାଲ ଠାରୁ ମୋଟା ଅଂକର ଉତ୍କୋଚ ନେବା ସହ ଏକ ଦାମୀ ଗାଡି ମଧ୍ୟ ନେଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଏହାପରେ ରାଜ୍ୟ ସରକାର ଜିଲ୍ଲାପାଳ ୟେଦୁଲା ବିଜୟଙ୍କୁ ବଦଳି କରିବାକୁ ବାଧ୍ୟ ହୋଇଥିଲେ। ଏହାପରେ ସଲ୍‌ଭେନ୍ସି ରିପୋର୍ଟ ଦାଖଲରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତଦନ୍ତ ପାଇଁ କଂଗ୍ରେସ ଦାବି କରିଥିଲା। ଏଥିପାଇଁ କଂଗ୍ରେସ ସସମ୍ତ ଦସ୍ତାବିଜ ମଧ୍ୟ ଦାଖଲ କରିଥିଲା।

ଅଭିଯୋଗ ପରେ ଦକ୍ଷିଣାଞ୍ଚଳ ଆରଡିସି ତଦନ୍ତ କରି ଏଥିରେ ଅନିୟମିତତା ହୋଇଥିବା ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ରାଜସ୍ବ ଏବଂ ବିପର୍ଯ୍ୟୟ ବିଭାଗ ରିପୋର୍ଟ ଏବଂ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଏହି ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ବିଶାଲ ସିଂହ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏହାର ପୁନଃ ଟେଣ୍ଡର ଆହ୍ବାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଅନ୍ୟଦିଗରେ କେବଳ ଟେଣ୍ଡରକୁ ରଦ୍ଦ କରିଦେଲେ ହେବ ନାହିଁ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି। ଏଥିରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର