ସହରାଞ୍ଚଳର ସମସ୍ତ ବାସହୀନଙ୍କ ଯତ୍ନ ନେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ରାତ୍ରୀ ସମୟରେ ଆଶ୍ରୟକୁ ଗୁରୁତ୍ୱ

ଭୁବନେଶ୍ୱର: ସହରାଞ୍ଚଳରେ ରହୁଥିବା ବାସହୀନ ଲୋକେ ଯେଭଳି ଶୀତରାତିରେ ହଇରାଣ ହରକତ ନହୁଅନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏ ସଂକ୍ରାନ୍ତରେ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ଜିଲ୍ଲାପାଳ ମାନଙ୍କୁ କହିଥିବାବେଳେ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ରାଜ୍ୟର ସହରାଞ୍ଚଳରେ ୧୩ ହଜାରରୁ ଅଧିକ ଘର ଦ୍ୱାର ନଥିବା ବ୍ୟକ୍ତି ରହିଛନ୍ତି। ଏମାନଙ୍କ ୧୨ ହଜାରରୁ ଅଧିକ ଲୋକଙ୍କର ସ୍ଥାୟୀ ଭାବେ ଘରଦ୍ୱାର ନଥିବା ଜଣାଯାଇଛି।

ରାଜ୍ୟର ୧୧୪ ପୌରାଞ୍ଚଳରେ ଦୁଇଟି ସଂସ୍ଥା ଦ୍ୱାରା ବାସହୀନ ମାନଙ୍କର ସର୍ବେକ୍ଷଣ କରାଯାଇଥିଲା। ଏଥିରୁ ଜଣାଯାଇଛି ଯେ କେନ୍ଦ୍ରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବା ଦଶଟି ଜିଲ୍ଲାରେ ସର୍ବାଧିକ ୭୯୧୧ ବାସହୀନ ଥିବାବେଳେ ଉତ୍ତରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଆସୁଥିବା ଜିଲ୍ଲା ଗୁଡିକରେ ୧୦୮୦ ବାସହୀନ ଏବଂ ଦକ୍ଷିଣାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବା ୧୦ଟି ଜିଲ୍ଲାରେ ୪୬୬୦ ବାସହୀନ ରହିଛନ୍ତି। ତେବେ ମୋଟ୍‍ ୧୩,୬୫୧ ବାସହୀନଙ୍କ ମଧ୍ୟରୁ ୯୦୯ ଜଣ ଅସ୍ଥାୟୀ ଭାବେ ବାସହୀନ ଅଟନ୍ତି। ବିଭିନ୍ନ ଋତୁରେ ଏମାନେ କାମ ଅନ୍ୱେଷଣରେ ସହରାଞ୍ଚଳକୁ ଆସୁଥିବା ସମୟରେ ହି ରହିବା ପାଇଁ ଘରଟିଏ ପାଇନଥାନ୍ତି।

ଏହି ବାସହୀନ ମାନେ ବିଶେଷକରି ଶ୍ରମିକ ଶ୍ରେଣୀର ହୋଇଥିବାରୁ ଦିନ ସାରା ଖଟି ଖଟି ରାତିରେ ସହରର ଏଣେ ତେଣେ ଶୋଇ ପଡିଥାନ୍ତି। ଏହିଭଳି ବାସହୀନଙ୍କ ପାଇଁ ସହରାଞ୍ଚଳରେ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଛନ୍ତି। ଇତି ମଧ୍ୟରେ ଶୀତଦିନରେ ବାସହୀନ ମାନେ ଯେଭଳି ରାତ୍ରୀ ସମୟରେ ବାହାରେ ନଶୁଅନ୍ତି କିମ୍ବା କଷ୍ଟ ନପଆନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ସୁଡା ପକ୍ଷରୁ ଜିଲ୍ଲାପ୍ରଶାସନ ମାନଙ୍କୁ କୁହାଯାଇଛି। ବାସହୀନ ଲୋକେ ଯେଭଳି ରାତ୍ରୀ ସମୟରେ ଭଲରେ ଶୋଇ ପାରିବେ ସେଥିପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ସହିତ ସେଠାରେ ଅନ୍ୟାନ୍ୟ ସୁବିଧା ସୁଯୋଗର ବନ୍ଦୋବସ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ତେବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ପୌର ପ୍ରଶାସନ ଗୁଡିକ ଅଧିକ ତତ୍ପର ହେବା ସଂଗେସଂଗେ ସହରାଞ୍ଚଳରେ ରାତ୍ରୀ ସମୟରେ ବାହାରେ ଆଶ୍ରୟ ନେଉଥିବା ଲୋକଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଆଣିବାପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଯେଉଁଠାରେ ସରକାରୀ ଆଶ୍ରୟସ୍ଥଳ ନାହିଁ ବା ଆଶୟସ୍ଥଳରେ ରାତ୍ରୀଯାପନ ଲାଗି ସୁବିଧା ସୁଯୋଗ ନାହିଁ ସେଠାରେ ତୁରନ୍ତ ଅସ୍ଥାୟୀ ଆଶ୍ରୟସ୍ଥଳ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ପାଇଁ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର