ରାଉରକେଲା: ସରିଲା ସଜବାଜ। ଆସନ୍ତକାଲି (ବୁଧବାର) ପହିଲି ରଜ। ଓଡ଼ିଶାର ଏହି କୃଷିଭିତ୍ତିକ ପୂର୍ବକୁ ନେଇ ଚଳଚଞ୍ଚଳ ହୋଇଛି ଗାଁଠୁ ସହର। ଆଜି ଏହି ପର୍ବ କେବଳ ଉପକୂଳବର୍ତ୍ତୀ ଓଡ଼ିଶାରେ ସୀମିତ ହୋଇ ରହି ନାହିଁ। ଏଥିରୁ ବାଦ୍ ପଡିନି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ସ୍ମାର୍ଟ ସିଟି ରାଉରକେଲା। ପ୍ରତିବର୍ଷ ପରି ଚଳିତ ଥର ରଜ ପର୍ବର ପରମ୍ପରାକୁ ନିଆରା ଢ଼ଙ୍ଗରେ ପାଳନ କରି ଉଜ୍ଜୀବିତ କରି ରଖିବାକୁ ପ୍ରୟାସ ଜାରି ରଖିଛି ସହରର କେତେକ ପ୍ରମୁଖ ସାଂସ୍କୃତିକ,ସାମଜିକ ଓ ମହିଳା ସଙ୍ଗଠନ। ଏଥିପାଇଁ ସଙ୍ଗଠନଗୁଡ଼ିକ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷ କରି ସହର ରହୁଥିବା ଉପକୂଳବର୍ତ୍ତୀ ଓଡ଼ିଶାର ପ୍ରଥମେ ଓଡ଼ିଆ ଘରେ ଚାଲିଛି ରଜସ୍ବ ସ୍ବତନ୍ତ୍ର ଆକର୍ଷଣ ସାଜିଥିବା ପୋଡ ପିଠାର ପ୍ରସ୍ତୁତି। ପୋଡ ପିଠା ସାଙ୍ଗକୁ ପ୍ରସ୍ତୁତି ହେଉଛି କାକରା, ଆରିସା ପିଠା। ପହିଲି ରଜରୁ ଶେଷ ରଜ ପର୍ଯ୍ୟନ୍ତ ସବୁଠି ମହକିବ ପୋଡ ପିଠା, ଆରସି ପିଠା, ରଜ ପାନର ବାସ୍ନା। କେବଳ ସାମାଜିକ, ସାଂସ୍କୃ୍ତିକ ଓ ମହିଳା ସଙ୍ଗଠନ ନୁହନ୍ତି ବରଂ ସହରର ପାନ୍ଥ ନିବାସ ଏବଂ ଅନ୍ୟ କେତେକ ଓଡ଼ିଆ ହୋଟେଲରେ ରଜ ଉତ୍ସବ ଉପଲକ୍ଷେ ହୋଇ ସ୍ବତନ୍ତ୍ର ପୋଡ ପିଠା, ଆରିସା, ଚକୁଳି ଓ ଘୁଘୁନି। ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ହୋଇଛି ସ୍ବତନ୍ତ୍ର ଦୋଳି। ରଜ ଗୀତ ସାଙ୍ଗକୁ ପୋଡ ପିଠା, ରଜ ପାନର ମଜା ଉଠାଇବେ ସହରବାସୀ।
ହୋଟେଲ ଓ ଅନୁଷ୍ଠାନର ପ୍ରସ୍ତୁତି : ଛେଣ୍ଡ କଲୋନୀର ‘ସମ୍ଭାବନା ପରିବାର’, ସିଭିଟାଉନସିପ୍ ’ରେସିଡେନ୍ସ ଆସୋକସିଏସନ’, ‘ମା’ ଇନ୍ଦିରା ମହିଳା ସମିତି’, ସେକ୍ଟର-୭ ‘ନାୟିକା’, ‘ସେକ୍ଟର-୪ କମ୍ୟୁନିଟି ସେଣ୍ଟର କମିଟି’, ଶକ୍ତିନଗରର ‘ଶକ୍ତି କ୍ଲବ’ ଓ ‘ସାମାଜିକ ଗୃହ’, ‘ଭାରତୀୟ ଯୁବ ହଷ୍ଟେଲ’ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏସବୁ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆୟୋଜିତ ହେବ ପୋଡ ପିଠା, ପାନ ଭଙ୍ଗା, ଅଳତା ଲଗା, ଝୋଟି, ଶଙ୍ଖ ଫୁଙ୍କା, ହୁଳହୁଳି, ପୁଚି ଖେଳ, ମେହେନ୍ଦି, ନୃତ୍ୟ ଆଦି ପ୍ରତିଯୋଗିତା। ଶକ୍ତି କ୍ଲବରେ ପୋଡ ପିଠା, ପାନ ଭଙ୍ଗା, ଶଙ୍ଖ, ହୁଳହୁଳି, ପୁଚି ଖେଳ, ମେହେନ୍ଦି ପ୍ରତିଯୋଗିତା ହେବ। ୧୫ରେ ମହିଳାଙ୍କୁ ମାନକୁ ନେଇ ନିଆରା କାର୍ଯ୍ୟକ୍ରମ ‘ ମୁଁ ଓଡ଼ିଆଣୀ’ ପ୍ରତିଯୋଗିତା ହେବ ବୋଲି ଆୟୋଜ କମିଟି ପକ୍ଷରୁ କୁହାଯାଇଛି। ଅନୁରୂପ ଭାବେ ନାୟିକା ପକ୍ଷରୁ ସେକ୍ଟର-୭ ସି -୧୭ ସଂଧ୍ୟାରେ ପୋଡପିଠା, ଅଳତା ଲଗା, ପିଠାପାନ ଆଦି ପ୍ରତିଯୋଗିତା ହେବ। ସେକ୍ଟର-୫ ପାନ୍ଥ ନିବାସରେ ଆଜି ଠୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପୋଡପିଠା, ଦହିବରା, ଆରିସା ପିଠା, କ୍ଷୀର ଗଜା, ଚକୁଳି ଓ ଘୁଗୁନି ଏବଂ ରଜପାନର ବ୍ୟବସ୍ଥା। ପୋଡ ପିଠା କିଲୋ ପିଛା ୩୫୦ ଟଙ୍କା ରହିଥିବାବେଳେ ଦହିବରା, ଚକୁଳି ଓ କ୍ଷୀରଗଜା ଗୋଟାକ ୧୫ ଟଙ୍କା କରି ରହିଛି। ରଜ ପାନ ଗୋଟାକୁ ୨୦ ଟଙ୍କା କରି ବିକ୍ରି ହେଉଛି।
ଆକର୍ଷଣ ରଜ ପାନ ଓ ମେହେନ୍ଦି : ଯେତେ ପାନ ଖାଇଲେ କ’ଣ ହେବ, ରଜରେ ରଜ ପାନର ସ୍ବାଦ ନିଆରା। ରଜ ମିଠା ପାନ ଖଣ୍ଡେ ଖାଇ ପାଟି ଲାଲ ନ କଲେ, ରଜ ପାଳନର କିଛି ମାନେ ରହେ ନା। ଏଥିପାଇଁ ସହରର କେତେକ ସ୍ଥାନରେ ବିକ୍ରି ହେଉଛି ସ୍ବତନ୍ତ୍ର ରଜ ପାନ। ସହରର ମେ‘ ଫେୟାର ହୋଟେଲ ନିକଟ ପାନ ଦୋକାନ, ସିଭିଲଟାଉନସିପ୍, ପାନପୋଷ ଗାନ୍ଧି ଛକ, ମ୍ୟୁଜିକ୍ ସର୍କଲ, ବାସନ୍ତୀକଲୋନୀ, ଛେଣ୍ଡ, ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ନିକଟ, କୋଏଲନଗର, କଳିଙ୍ଗ ବିହାର ଆର୍ଡିଏ ମାର୍କେଟରେ କିଛି ପାନ ଦୋକାନୀ ସ୍ବତନ୍ତ୍ର ରଜ ପାନ ବିକ୍ରି କରୁଛନ୍ତି। ବନାରସୀ, ଦିଲ ୱାଲା ଏମିତି ନାଁରେ ବିକ୍ରି କରୁଛନ୍ତି। ରଜ ପାନ ଗୋଟା ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। କିଛି ଦୋକାନୀ ଅନୁଷ୍ଠାନରର ଅର୍ଡର ମୁତାବକ ରଜ ମିଠା ପାନ ପ୍ରସ୍ତୁତ ରଖୁଛନ୍ତି। ସେହିପରି ହାତରେ ମେହେନ୍ଦି କରି କୁନି କୁନି ଝିଅ ଠୁ ଯୁବତୀଙ୍କ ସେକ୍ଟର-୧୯ ଇସ୍ପାତ ମାର୍କେଟରେ ବେଶ୍ ଭିଡ ଜମୁଛି।