ବଲାଙ୍ଗୀର : ଗୁରୁବାର ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଗୋଟିଏ ମାସ ଧରି ସଜବାଜ ପରେ, ନୂଆଁ ଖାଇବେ ସମସ୍ତେ। ଏସବୁ ଭିତରେ ନୂଆଁଖାଇର ନିଆରା ପରମ୍ପରା ପାହୁର ଯାତ୍ରା। ବୁଧବାର ଜାକଜମକରେ ସରିଯାଇଛି ପାହୁର ଯାତ୍ରା। ନୂଆଁଖାଇ ପାଇଁ ଦରକାର ସମସ୍ତ ଜିନିଷପତ୍ର ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଥିଲା। ନବାନ୍ନ ଦିନ ଶୁଭ ଲଗ୍ନର ଶୁଭ ସମୟରେ, ସବୁ ଅଞ୍ଚଳରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ନବାନ୍ନ ଭକ୍ଷଣ କରନ୍ତି ସର୍ବସାଧାରଣ ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ରହିଛି ନଅଟି ରଂଗ ବା ରୀତିନୀତି। କିନ୍ତୁ ଏ ସବୁ ଭିତରେ ପାହୁର ଯାତ୍ରାର ଥାଏ ଭିନ୍ନ ଆକର୍ଷଣ। ଠିକ୍ ନୂଆଁଖାଇ ପୂର୍ବଦିନ ଅର୍ଥାତ ବୁଧବାର ଦିନ ସ୍ଥାନୀୟ ରୁଗୁଡ଼ିପଡ଼ାରୁ ବାହାରିଥିଲା ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା। ଦେବଦେବୀ ମନ୍ଦିରର ନବାନ୍ନ ଲାଗି ପାଇଁ ଦରକାର ମୁତାବକ ନୂଆ ଧାନ ସହିତ, ଚାଉଳ, ଡାଲି, ପନିପରିବା, ନୂଆ ବସ୍ତ୍ର ଓ ଅନ୍ୟାନ୍ୟ ଦରକାରୀ ଜିନିଷ ବିଭିନ୍ନ ଦେବଦେବୀଙ୍କ ପାଖକୁ ଶୋଭାଯାତ୍ରାରେ ନିଆଯାଇଥିଲା। କାରଣ ନୂଆଁଖାଇ ଦିନ ସମସ୍ତ ଦେବଦେବୀ ନୂତନ ବସ୍ତ୍ର ଓ ନୂତନ ଅଳଙ୍କାର ଧାରଣା କରିଥାନ୍ତି। ସ୍ଥାନୀୟ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେଲା ପରେ ଘରେ ଘରେ ଭୋଗ ଲାଗିବା ପରେ ସାଧାରଣ ଲୋକେ ବନ୍ଧୁ ପରିଜନ ସମ୍ପର୍କୀୟଙ୍କ ସହିତ ମିଶି ନବାନ୍ନ ଭକ୍ଷଣ କରିଥାନ୍ତି।
ନୂଆଁଖାଇର ଅନନ୍ୟ ପରମ୍ପରା ହେଉଛି ପାହୁର ଯାତ୍ରା। ପାହୂର ଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲା ଦୁଲଦୁଲି ବାଜା। ସ୍ଥାନୀୟ ଘଣ୍ଟପାର୍ଟି ଓ ବହୁ ପାରମ୍ପରିକ ବାଜା ବଜାଇ ସାରା ସହରକୁ କଂପାଇ ଦେଇଥିଲା ପାହୁର ଶୋଭାଯାତ୍ରା। ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଇଷ୍ଟଦେବୀ ମାଁ ସମଲେଶ୍ୱରୀ, ପାଟଣେଶ୍ୱରୀ, ଦୁର୍ଗା ମନ୍ଦିର ସମେତ ଅନ୍ୟ ମନ୍ଦିରକୁ ନବାନ୍ନ ଭୋଗ ପାଇଁ ପାହୁର ପହଞ୍ଚିଥିଲା। ଜାଗା ଜାଗାରେ ପାହୁର ଓ ଛତରମାନଙ୍କୁ କଳସ ବସାଇ ପୂଜାର୍ଚ୍ଚନା କରିଥିଲେ ସହରବାସୀ। ରାଜା ରାଜୁଡ଼ା ଅମଳରୁ ଚାଲିଆସୁଛି ଏହି ପାହୁର ପରମ୍ପରା। ରାଜା, ଗାଁ ଗଉନ୍ତିଆ, ଜମିଦାର ନିଜ ନିଜ ଗାଁ ବା ସହରର ଇଷ୍ଟଦେବୀଙ୍କ ନିକଟକୁ ପାହୁର ପଠାଇଥାନ୍ତି। ଧୀରେ ଧୀରେ ରାଜତନ୍ତ୍ର ପରେ ଏବେ କିଛି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପାହୁର ନିଆଯାଉଛି। ଗତ ୧୯୯୦ ମସିହାରୁ ହିମାଂଶୁ ପାଢ଼ୀଙ୍କ ନେତୃତ୍ୱରେ କୋଶଳୀ ସାଂସ୍କୃତିକ ସଂସଦ ଓ ଅନ୍ୟ ସଂସ୍ଥା ଦ୍ୱାରା ଆଡ଼ମ୍ବରପୂର୍ଣ୍ଣ ଭାବରେ ଆୟୋଜିତ ହୋଇଆସୁଛି ଏହି ପାହୁର ଯାତ୍ରା। ପାହୁର ଯାତ୍ରା ଗଣପର୍ବ ନୂଆଁଖାଇର ଏକ ଅନନ୍ୟ ପରମ୍ପରା ବୋଲି ସଂସ୍କୃତି ଗବେଷଙ୍କର ମତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/WhatsApp-Image-2022-08-31-at-9.54.23-PM.jpeg)